ପିତାଙ୍କ ମୃତଦେହ ସାମ୍ନାରେ ବିବାହ କଲେ ଯୁବକ

ବିବାହ ଏକ ଶୁଭ ଅବସର ବୋଲି କୁହାଯାଏ। ହେଲେ ଜଣେ ପିତାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ପୁଅ ପିତାଙ୍କ ମୃତଦେହକୁ ସାମ୍ନାରେ ରଖି ବିବାହ କରିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ତାମିଲନାଡୁର ବିଲ୍ଲୁପୁରମରେ ଘଟିଛି ଏମିତି ଏକ ଘଟଣା। ୩୧ ବର୍ଷୀୟ ଆଲେକଜାଣ୍ଡରଙ୍କର ବିବାହ ଖୁବ୍‌ ଧୁମ୍‌ଧାମ୍‌ରେ କରିବେ ବୋଲି ତାଙ୍କ ପିତା ସ୍ଥିର କରିଥିଲେ। ଆସନ୍ତା ସେପ୍ଟେମ୍ବର ୨ରେ ତାଙ୍କର ବିବାହ ହୋଇଥାଆନ୍ତା। ହେଲେ ଗତ ଶୁକ୍ରବାର ଆଲେକଜାଣ୍ଡରଙ୍କ ପିତା ଦେବମଣିଙ୍କର ହଠାତ୍‌ ମୃତ୍ୟୁ ହୋଇଗଲା। ଏଥିରେ ପୁଅ ଆଲେକଜାଣ୍ଡର ଭାଙ୍ଗି ପଡିଲେ ସତ। ହେଲେ ପିତାଙ୍କ ସାମ୍ନାରେ ସେ ବିବାହ କରିବେ ବୋଲି ନିଷ୍ପତ୍ତି ନେଲେ। ଅର୍ଥାତ୍‌ ପିତାଙ୍କ ସଂସ୍କାର ପୂର୍ବରୁ ସେ ଯେମିତି ହେଉ ବିବାହ କରିବାକୁ ଚିନ୍ତା କରିଥିଲେ।ଏଥିପାଇଁ ସେ ତାଙ୍କ ସ୍ତ୍ରୀ ହେବାକୁ ଯାଉଥିବା ଅନ୍ନପୁର୍ଣ୍ଣାନିଙ୍କ ସହ କଥା ହୋଇଥିଲେ। ଅନ୍ନପୂର୍ଣ୍ଣାନୀ ବୃତ୍ତିରେ ଜଣେ ଶିକ୍ଷକ ହୋଇଥିବା ବେଳେ ସେ ଆଲେକଜାଣ୍ଡରଙ୍କ କଥାରେ ରାଜି ହୋଇ ଯାଇଥିଲେ। ଏହାପରେ ବରଯାତ୍ରୀ ସହ ପିତାଙ୍କ ମୃତଦେହକୁ ନେଇ କନ୍ୟା ଘରକୁ ଯାଇ ବିବାହ କରିଥିଲେ ଆଲେକଜାଣ୍ଡର। ଆଉ ବିବାହ ପରେ ତାଙ୍କ ପିତାଙ୍କର ମୃତଦେହକୁ ସଂସ୍କାର କରାଯାଇଥିଲା।

Share