ପିତାଙ୍କୁ ସାଇକେଲରେ ବସାଇ ୧୨୦୦ କିମି ଯାତ୍ରା କରିଥିବା ଝିଅ ଉପରେ ନିର୍ମାଣ ହେବ ଫିଲ୍ମ

ଲକ୍‌ଡାଉନ ସମୟରେ୧୩ ବର୍ଷ ବୟସର ଝିଅ ଜ୍ୟୋତି କୁମାରୀ ତାଙ୍କ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପ୍ରାୟ ୧୨ ଶହ କିଲୋମିଟରରୁ ଅଧିକ ସାଇକେଲରେ ବସାଇ ଘରକୁ ନେବା ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ଜ୍ୟୋତୀଙ୍କୁ ନେଇ ଫିଲ୍ମ ନିର୍ମାଣ କରାଯିବ। ଫିଲ୍ମରେ ଜ୍ୟୋତି ନିଜେ ଅଭିନୟ କରିବେ ବୋଲି ଜଣାପଡିଛି। ଭିମେକଫିଲ୍ମ ନାମକ ଏକ କମ୍ପାନୀ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛି। ଫିଲ୍ମର ଶୁଟିଂ ଅଗଷ୍ଟରେ ଆରମ୍ଭ ହେବ। ଜ୍ୟୋତି ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି।
ସୂଚନାଯୋଗ୍ୟ,ଜ୍ୟୋତିଙ୍କ ପିତା ମୋହନ ପାଶୱାନ ଗୁରୁଗ୍ରାମରେ ଜଣେ ଇ-ରିକ୍ସା ଡ୍ରାଇଭର ଥିଲେ କିନ୍ତୁ ଜାନୁଆରୀରେ ଏକ ଦୁର୍ଘଟଣାରେ ତାଙ୍କ ବାମ ଗୋଡରେ ଆଘାତ ଲାଗିଥିଲା। ଜ୍ୟୋତି ଦୁର୍ଘଟଣା ପରଠାରୁ ତାଙ୍କ ପିତାଙ୍କ ସହ ରହୁଥିଲେ ଏବଂ ତାଙ୍କର ଯତ୍ନ ନେଉଥିଲେ। ଲକ ଡାଉନ ସମୟରେ କୌଣସି କାମ ନ ଥିବାରୁ ପାଶୱାନ ଏବଂ ତାଙ୍କ ଝିଅଙ୍କ ପାଖରେ ଖାଦ୍ୟ କିଣିବା ପାଇଁ ସମ୍ବଳ ନ ଥିଲା।
ଅନ୍ୟ ପକ୍ଷରେ ଘର ମାଲିକ ସେମାନଙ୍କୁ ଭଡା ଦେବାକୁ ଚାପ ପକାଉଥିଲେ। ଯଦିଓ ପାସୱାନ ସାଇକେଲରେ ବିହାରକୁ ଫେରିବା ସପକ୍ଷରେ ନଥିଲେ, ଝିଅ ଜ୍ୟୋତି ତାଙ୍କୁ ପ୍ରବର୍ତ୍ତାଇଥିଲେ ଏବଂ ଶେଷରେ ସେ ରାଜି ହୋଇଥିଲେ। ଏହି ଯାତ୍ରା କଷ୍ଟ ଦାୟକ ଥିଲା କିନ୍ତୁ ସମ୍ଭବ ହୋଇପାରିଲା ବୋଲି ଝିଅ ଜ୍ୟୋତି କହିଥିଲେ। ସେ କହିଛନ୍ତି ଯେ, ରାସ୍ତାରେ ଯାହା ସାହାଯ୍ୟ ପାଇଲୁ ଆମେ ଆଗକୁ ବିଲୁ। କିଛି ଲୋକ ଆମକୁ ଖାଦ୍ୟ ଦେଲେ। ଆମେ ମଧ୍ୟ ଦୁଇ ଦିନ ଭୋକରେ ମଧ୍ୟ ରହିଥିଲୁ।ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଈଭାଙ୍କା ଟ୍ରମ୍ପ ବିହାରର ଝିଅ ଜ୍ୟୋତିଙ୍କ ନିଜ ପିତାଙ୍କୁ ସାଇକେଲରେ ବସାଇ ଆଣିଥିବା ଭିଡିଓ ଦେଖିଥିଲେ ଓ ଜ୍ୟୋତିଙ୍କୁ ପ୍ରଶଂସା କରିଥିଲେ।

Share