ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ ନେଇ ଅଭିଯୋଗ କଲେ ହିତାଧିକାରୀ

ଯୋଡ଼ା, ୨୦।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବାଲାଗୋଡା ପଞ୍ଚାୟତରେ ଗରିବ ହିତାଧିକାରୀଙ୍କଠାରୁ ଟିପ ଚିହ୍ନ ନେଇ ପିଡିଏସ୍‌ ସାମଗ୍ରୀକୁ ହରିଲୁଟ୍‌ କରାଯାଉଥିବା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ଓ କିରୋସିନ ବିଭିନ୍ନ ଆଳ ଦେଖାଇ ପ୍ରତିମାସ ବଣ୍ଟନ ନ କରି ବାଟମାରଣା କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଦୀର୍ଘ ୫ ମାସ ହେବ ସେମାନେ ଖାଦ୍ୟ ସାମଗ୍ରୀ ପାଉ ନ ଥିବାରୁ ମଙ୍ଗଳବାର ଯୋଡା ବ୍ଲକର ଯୋଗାଣ ନିରୀକ୍ଷକଙ୍କ କାର୍ଯାଳୟକୁ ଅଭିଯୋଗ ଜଣାଇବାକୁ ଆସିଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏନେଇ ସୂଚନା ଦେଇଥିଲେ। ସେମାନେ କହିଥିଲେ, ରାଶନ ସାମଗ୍ରୀ ଉଠାଇବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାବେଳେ ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀମାନେ ସେମାନଙ୍କଠାରୁ ବାୟୋମେଟ୍ରିକ ମେଶିନ୍‌ରେ ଟିପ ଚିହ୍ନ ଲଗାଇବାକୁ କହିଥାନ୍ତି। ଟିପଚିହ୍ନ ଦେବା ପରେ ମେଶିନ୍‌ରେ ଲିଙ୍କ ଫେଲ ହୋଇଯାଇଥିବା କହି ସେମାନଙ୍କୁ ଖାଦ୍ୟ ସାମଗ୍ରୀ ନ ଦେଇ ଫେରାଇ ଦିଆଯାଇଥାଏ। ପରବର୍ତ୍ତୀ ସମୟରେ ପୁଣି ସାମଗ୍ରୀ ଆଣିବାକୁ ଗଲେ ସେମାନଙ୍କୁ ଆଉ ମିଳିବ ନାହିଁ ବୋଲି କୁହାଯାଇଥାଏ। ଏହି ଗ୍ରାମର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ରାଶନକାର୍ଡରେ ପୂର୍ବରୁ ୪ ଜଣଙ୍କ ନାମ ଥିଲା। ପରବର୍ତ୍ତୀ ସମୟରେ କାର୍ଡରେ ପରିବାରର ଆଉ ୨ ଜଣ ସଦସ୍ୟଙ୍କର ନାମ ଯୋଡ଼ାଯାଇଥିଲା। ଏହି ନୂତନ କାର୍ଡ ମାଧ୍ୟମରେ ୬ ଜଣଙ୍କ ନାମରେ ସାମଗ୍ରୀ ଦିଆଯିବା ପରିବର୍ତ୍ତେ ୪ ଜଣଙ୍କ ନାମରେ ସାମଗ୍ରୀ ଦେଉଛନ୍ତି। ନୂତନ କାର୍ଡକୁ ସମ୍ପୃକ୍ତ କର୍ମଚାରୀ ମାଗିନେଇ ଫରାଉ ନ ଥିବା ଖବରଦାତାଙ୍କ ଆଗରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ବାଲାଗୋଡା ପଞ୍ଚାୟତର ଜିଆରଏସ ପ୍ରିୟବ୍ରତ ବାରିକଙ୍କୁ ପଚାରିବାରୁ ସାଧାରଣ ବଣ୍ଟନ ଦାୟିତ୍ୱ ନିର୍ବାହୀ ଅଧିକାରୀଙ୍କ ନାମରେ ଥିବାରୁ ତାଙ୍କ ସହ କଥାବାର୍ତ୍ତା ହେବା ପାଇଁ ସେ କହିଥିଲେ। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ସାହୁଙ୍କୁ ପଚାରିବାରୁ ସେ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।