ପିଠି ଯନ୍ତ୍ରଣାରୁ ମୁକ୍ତିଦିଏ ଶଲ୍‌ଭାସନ ଆସନ

ଶଲ୍‌ଭାସନ ଆସନ କରିବା ଦ୍ୱାରା ସାଇଟିକା ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହା ନିୟମିତ କରିବା ଦ୍ୱାରା ଜଙ୍ଘର ଚର୍ବି କମେ ଓ ଓଜନ ମଧ୍ୟ କମ୍‌ ହୁଏ। ପେଟ ପାଇଁ ଏହି ଆସନ ଲାଭକାରୀ ଓ ପାଚନକ୍ରିୟାରେ ସହାୟକ ହୁଏ। ଏହି ଆସନ ମାନସିକ ଅବସାଦ ଓ କ୍ଳାନ୍ତିକୁ ମଧ୍ୟ ଦୂର କରେ। ଅନ୍ତଃସତ୍ତ୍ୱା, ପେଷ୍ଟିକ୍‌ ଅଲ୍‌ସର, ହାର୍ନିଆ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗୀମାନେ ଏହି ଆସନ କରିବା ଉଚିତ ନୁହେଁ। ଯଦି ଆପଣଙ୍କ ପିଠି ତଳଭାଗରେ ବହୁତ ଯନ୍ତ୍ରଣା ହେଉଛି, ତେବେ ଏହି ଆସନ ସାବଧାନ ହୋଇ କରନ୍ତୁ।
କେମିତି କରିବେ ଏହି ଆସନ
ଶଲ୍‌ଭାସନ କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ମକରାସନର ମୁଦ୍ରାକୁ ଆସିବାକୁ ହେବ। ଭୂମିରେ ପେଟ ତଳକୁ କରି ଶୁଅନ୍ତୁ, ଗୋଟେ ପାଦରୁ ଆଉ ଗୋଟେ ପାଦକୁ ଦୂରରେ ରଖନ୍ତୁ। ହାତ ଦୁଇଟିକୁ ମୁଣ୍ଡ ପାଖରେ ରଖନ୍ତୁ। ତା’ପରେ ଧୀରେଧୀରେ ଦୁଇ ପାଦକୁ ଯୋଡ଼ନ୍ତୁ। ଏବେ ଦୁଇ ହାତକୁ ଶରୀର ପାଖରେ ଏପରି ରଖନ୍ତୁ, ଯେପରି ପାପୁଲି ଉପରକୁ ରହିବ। ଜୋରରେ ନିଃଶ୍ୱାସ ନେଇ ଦୁଇ ପାଦକୁ ଉପରକୁ ଉଠାନ୍ତୁ। ପାଦକୁ ସେତିକି ଉଠାନ୍ତୁ, ଯେପରି ଆଣ୍ଠୁ ମୋଡ଼ି ହେବନାହିଁ। ଏବେ ନିଃଶ୍ୱାସ ନିଅନ୍ତୁ ଓ ଛାଡ଼ନ୍ତୁ ଏବଂ ୧୦-୨୦ ସେକେଣ୍ଡ ପର୍ଯ୍ୟନ୍ତ ଆରାମ କରନ୍ତୁ। ଏହାପରେ ଧୀରେଧୀରେ ନିଃଶ୍ୱାସ ଛାଡ଼ି ଆପଣଙ୍କ ପାଦକୁ ଭୂମିରେ ରଖନ୍ତୁ। ଏବେ କିଛି ସମୟ ମକରାସନକୁ ଆସି ଆରାମ କରନ୍ତୁ।