ପିଠିରେ ବଢୁଛି ମାଂସ ପିଣ୍ଡୁଳା, ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ

ଦାରିଙ୍ଗବାଡ଼ି,୧୦ା୬(ଡି.ଏନ୍‌.ଏ.)-ପିଠିରେ ଅସ୍ବାଭାବିକ ଭାବେ ବଢୁଛି ମାଂସ ପିଣ୍ଡୁଳା। ଅସ୍ତ୍ରୋପଚାର ପାଇଁ ଅର୍ଥ ନାହିଁ। ଚାଷ କରି ଚଳୁଥିବାବେଳେ ଅସହ୍ୟ ଯନ୍ତ୍ରଣା ହେଉଥିବାରୁ କାମଧନ୍ଦାକୁ ଯାଇପାରୁ ନାହାନ୍ତି। ଅସ୍ତ୍ରୋପଚାର ପାଇଁ ପାଖରେ ଅର୍ଥ ନଥିବା କହିଛନ୍ତି ଦାରିଙ୍ଗବାଡ଼ି ବ୍ଲକ ଦାସିଂବାଡି ପଞ୍ଚାୟତ ଗଡ଼ାପକାଲି ଗ୍ରାମର ମଶା ମୁଠାମାଝୀ। ସେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ହୋଇଥିବାବେଳେ ପରିବାର ଏକମାତ୍ର ରୋଜଗାରିଆ ବ୍ୟକ୍ତି। ୫ ବର୍ଷ ତଳେ ପିଠିରେ ମାଂସ ପିଣ୍ଡୁଳା ବଢିବା ସହ ଯନ୍ତ୍ରଣା ହୋଇଥିଲା। ୨ବର୍ଷ ତଳେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଡାକ୍ତର ଦେଖିବା ପରେ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ ପରାମର୍ଶ ଦେଇଥିଲେ। ମାତ୍ର ଅର୍ଥ ଅଭାବରୁ ମଶା ଘରକୁ ଫେରିଆସି ନିଜେ ଉକ୍ତ ମାଂସ ପିଣ୍ଡୁଳାକୁ କାଟି ପକାଇଥିଲେ। କିଛିଦିନ ପରେ ଘା’ ଶୁଖିଯାଇଥିଲା। ମାତ୍ର ପୁଣି ମାଂସ ପିଣ୍ଡୁଳାଟି ବଢିଥିଲା। ଚିକିତ୍ସା ପାଇଁ ଅର୍ଥ ନ ଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।