ପିଚୁ ପାଇଁ ଅନନ୍ତପୁର-ନେନ୍ଧେରା ଢଳେଇ ରାସ୍ତା ବିପର୍ଯ୍ୟସ୍ତ: ସାଧାରଣରେ ତୀବ୍ର ଅସନ୍ତୋଷ

ବାଲିକୁଦା,୧୫ା୩(ସ୍ବ.ପ୍ର.): ବାଲିକୁଦା ବ୍ଲକ୍‌ର ସମୁଦ୍ର ଉପକୂଳକୁ ଯାତାୟାତ ପାଇଁ ଥିବା ଏକମାତ୍ର ରାସ୍ତା ଅନନ୍ତପୁର-ନେନ୍ଧେରା ଏବେ ବିପର୍ଯ୍ୟସ୍ତ। ଉକ୍ତ ରାସ୍ତାର କିଛି ଭାଗ ଟେଣ୍ଡର କରାଯାଇ ବିଭାଗ ପକ୍ଷରୁ ମରାମତି କରାଯାଉଛି। ମାତ୍ର ମରାମତି ହେଉଥିବା ପିଚୁ ରାସ୍ତା ପାଇଁ ଆରମ୍ଭରେ ଥିବା ଢଳେଇ ଖଣ୍ଡ ବିଖଣ୍ଡିତ ହୋଇଗଲାଣି। କାରଣ ଉକ୍ତ ରାସ୍ତାରେ ସମ୍ପୃକ୍ତ ଠିକାଦାର ବେଆଇନ ଭାବରେ ଓଭରଲୋଡିଂ ଟ୍ରକ୍‌ ଓ ହାଇୱା ପରିବହନ କରାଉଛନ୍ତି। ରାସ୍ତାର କ୍ଷମତା ବାହାରେ ଠିକାଦାର ମାଲ ପରିବହନ କରୁଥିବାରୁ ମୂଳ ଢଳେଇ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

ପ୍ରକାଶଯୋଗ୍ୟ, ବାଲିକୁଦାର ସମୁଦ୍ର ଉପକୂଳକୁ ଯାତାୟାତ ପାଇଁ ଅନନ୍ତପୁର -ନେନ୍ଧେରା ରାସ୍ତା ୧୦ କି.ମି. ରହିଛି। ଏହି ରାସ୍ତା ମଧ୍ୟରୁ ଶେଷ ଭାଗରେ କିଛି ପିଚୁ ବର୍ଷା ଦିନେ ନଷ୍ଟ ହୋଇ ଯାଇଥିବାରୁ ତାହାର ମରାମତି ପାଇଁ ଜାନୁୟାରୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଟେଣ୍ଟର ଡାକଯାଇଥିଲା। ଯାହାର ଅଟକଳ ମୂଲ୍ୟ ୧୧ ଲକ୍ଷ ଥିଲା। ଉକ୍ତ ପିଚୁ ରାସ୍ତାକୁ ସମ୍ପୃକ୍ତ ଠିକାଦାର ଏବେ ମରାମତି କରୁଛନ୍ତି। ମାତ୍ର ଏହି ରାସ୍ତା ମରାମତି ପାଇଁ ଆବଶ୍ୟକ ମେଟାଲ, ଚିପସ୍‌, ବାଲି, ଡଷ୍ଟ ଭାରିଯାନରେ ଆଣାଯାଉଥିବାରୁ ମୂଳ ଢଳେଇ ରାସ୍ତା ଭାଙ୍ଗି ଖଣ୍ଡଖଣ୍ଡ ହୋଇଗଲାଣି। ରାସ୍ତାରେ ପରିବହନ କ୍ଷମତା ୨୦ରୁ ୨୫ଟନ ଥିବା ବେଳେ ଠିକାଦାର ୪୦ରୁ ୫୦ ଟନ ମାଲ ପରିବହନ କରୁଛନ୍ତି। ଏଥିଯୋଗୁ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ହେଉଛି। ଯାତାୟାତବେଳେ ଦୁର୍ଘଟଣା ମଧ୍ୟ ଘଟିଚାଲିଛି। ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ବର୍ଷା ଦିନେ ଏହି ରାସ୍ତାରେ ସମ୍ପୂର୍ଣ୍ଣ ଯାତାୟାତ ଠପ୍‌ ହୋଇଯିବ। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଅନନ୍ତ ଗୋପାଲ ଶତପଥୀଙ୍କୁ ପଚାରିବାରୁ ସେ କହିଥିଲେ, ଏବେ ସମ୍ପୃକ୍ତ ଠିକାଦାରଙ୍କୁ ଉକ୍ତ ରାସ୍ତାରେ ଭାରିଯାନ ନ ନେବାକୁ କୁହାଯିବ। ଯେହେତୁ ଢଳେଇ ରାସ୍ତା ନଷ୍ଟ ହୋଇଛି ମରାମତି କରିବା କଷ୍ଟ। ତଥାପି ଯାହା କିଛି କରାଯାଇ ପାରିବ ତାହା ତୁରନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ।