ପିକଅପ୍‌ ଭ୍ୟାନରେ ଚାଲାଣ ହେଉଛି ଗୋମାଂସ; ଦୁର୍ଘଟଣା ପରେ ପଦାକୁ ଆସିଲା

ଜଳେଶ୍ୱର, ୨୮ା୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଗୋଚାଲାଣ ଉପରେ ଅଙ୍କୁଶ ଲଗାଯିବା ପରେ ବେପାରୀମାନେ ଏବେ ଗୋମାଂସ ଚାଲାଣ ଭଳି ପନ୍ଥା ଆପଣେଇଛନ୍ତି। କୋଲକାତା ଅଭିମୁଖେ ଯାଉଥିବା ଗୋମାଂସ ବୋଝେଇ ଏକ ପିକ୍‌ଅପ୍‌ ଜଳେଶ୍ୱର ଥାନା ଅଧୀନ ୬୦ ନଂ.ଜାତୀୟ ରାଜପଥର ଚାଲନ୍ତୀ ଓ ସେକ୍‌ସରାଇ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ଘଟଣା ନଜରକୁ ଆସିଛି। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବଜରଙ୍ଗ ଦଳର କର୍ମୀମାନେ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଏକ ମାମଲା(ନଂ.୧୩୪/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଶୁକ୍ରବାର ଭୋର ସମୟରେ ଉକ୍ତ ରାସ୍ତାରେ ଏକ ପିକ୍‌ଅପ୍‌ ଭ୍ୟାନ (ନଂ.ଓଡି୦୫କେ-୬୭୪୮) ଏକ କଣ୍ଟେନର (ନଂ.ଟିଏନ୍‌୦୧ବିଏଫ୍‌-୦୩୯୭) କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପିକଅପ୍‌ ଭ୍ୟାନରୁ ରକ୍ତ ମିଶ୍ରିତ ଥଣ୍ଡା ପାଣି ବୋହିବାରୁ ସେଠାରେ ଉପସ୍ଥିତ ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚ ପିକଅପ୍‌ ଭ୍ୟାନକୁ ଯାଞ୍ଚ କରିବା ପରେ ସେଥିରେ ଗୋମାଂସ ଥିବା ଜଣାପଡିଥିଲା। ପିକ୍‌ଅପ୍‌ ଡ୍ରାଇଭର କୌଶଳକ୍ରମେ ଫେରାର ହୋଇଯାଇଥିଲେ। ଗୋମାଂସକୁ ପଲିଥିନରେ ଭର୍ତ୍ତି କରାଯାଇ ବରଫ ଖଣ୍ଡ ଦେଇ ମାଛବୁଝା କ୍ୟାରେଟରେ ସଜାଇ ରଖାଯାଇଥିଲା। ଏଥିରେ ୩୦ରୁ ୪୦ କୁଇଣ୍ଟାଲ ଗୋମାଂସ ଥିବା ଅନୁମାନ କରାଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ କଣ୍ଟେନର ଓ ପିକ୍‌ଅପ୍‌ ଭ୍ୟାନକୁ ଜବତ କରିବା ସହ ଗୋମାଂସକୁ ମାଟିଖୋଳି ପୋତିଦେଇଛି। ସେଥିରୁ କିଛି ନମୁନା ଫରେନ୍‌ସିକ ଲ୍ୟାବକୁ ଯାଞ୍ଚ ନିମନ୍ତେ ପଠାଯାଇଛି ବୋଲି ଆଇଆଇସି ପ୍ରଦୀପ କୁମାର ମାଝି କହିଛନ୍ତି।