Categories: ଜାତୀୟ

ପିଏମ୍‌ସି ବ୍ୟାଙ୍କ ବିରୋଧ ପ୍ରଦର୍ଶନ ପରେ ଦୃଦ୍‌ଘାତରେ ଜଣେ ଜମାକାରୀଙ୍କ ମୃତ୍ୟୁ

ମୁମ୍ବାଇ,୧୫।୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରୋଟିଭ(ପିଏମ୍‌ସି) ବ୍ୟାଙ୍କର ଜମାକାରୀଙ୍କୁ କିଛି ଦିନ ହେଲା ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ପିଏମ୍‌ସି ବ୍ୟାଙ୍କ ବନ୍ଦ ହୋଇଯିବା ଖବର ପ୍ରଚାର ହେବା ପରେ ଜମାକାରୀ ନିଜ ସଞ୍ଚିତ ଟଙ୍କାକୁ ବାହାର କରିବା ପାଇଁ ବ୍ୟାଙ୍କରେ ଭିଡ ଜମାଉଛନ୍ତି। ଏଥିସହ ଜମାକାରୀମାନେ ବ୍ୟାଙ୍କ ସମ୍ମୁଖରେ ବିରୋଧ ପ୍ରଦର୍ଶନ ମଧ୍ୟ କରରୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ସୋମବାର ପିଏମ୍‌ସି ବ୍ୟାଙ୍କର ଜଣେ ଜମାକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ବ୍ୟାଙ୍କରେ ପ୍ରାୟ ୯୦ ଲକ୍ଷ ଟଙ୍କା ଜମା ରଖିଥିବା କୁହାଯାଉଛି। ସୂଚନାଯୋଗ୍ୟ, ମୁମ୍ବାଇ ଓଶିଓ୍ବାରାର ତାରାପୋରଓ୍ବୋଲା ଗାର୍ଡନରେ ରହୁଥିବା ସଞ୍ଜୟ ଗୁଲାଟି ପିଏମ୍‌ସି ବ୍ୟାଙ୍କରେ ପ୍ରାୟ ୯୦ ଲକ୍ଷ ଟଙ୍କା ଜମା ରଖିଥିଲେ। ସୋମବାର ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ସଞ୍ଜୟ କିଛି ଜମାକାରୀଙ୍କ ସହ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନ ପରେ ସେ ଘରକୁ ଫେରିଥିଲେ। ଘରକୁ ଫେରିବାର କିଛି ସମୟ ମଧ୍ୟରେ ତାଙ୍କୁ ହୃଦ୍‌ଘାତ ହେବାରୁ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସଞ୍ଜୟଙ୍କ ଅନ୍ତିମ ସଂସ୍କାର କରାଯିବ। ଅନ୍ୟପଟେ ଆରବିଆଇକୁ ପିଏମ୍‌ସି ନିଜ ବ୍ୟାଙ୍କ ଓ ଋଣ ସମ୍ବନ୍ଧୀୟ କିଛି ମିଥ୍ୟା ତଥ୍ୟ ଦେଇଥିଲା। ଯାହାକୁ ନେଇ ଆରବିଆଇ ଏହି ବ୍ୟାଙ୍କ ଉପରେ କିଛି ପ୍ରତିବନ୍ଧକ ଲଗାଇଛି। ଏହି ବ୍ୟାଙ୍କର ବ୍ରାଞ୍ଚ ଗୁଡ଼ିକ ମୁଖ୍ୟତଃ ପଞ୍ଜାବ, ମହାରାଷ୍ଟ୍ର, ଦିଲ୍ଲୀ ଓ ଗୋଆରେ ରହିଛି।

Share