ପିଏମ୍‌ଜିଏସ୍‌ୱାଇ ମହୁ

ଗ୍ରାମାଞ୍ଚଳରେ ଲୋକଙ୍କ ଗମନାଗମନ ଅସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଆରମ୍ଭ କରିଥିଲେ। ଲୋକେ କିପରି ଭଲରେ ଯାତାୟାତ କରିବେ ଏବଂ ଯୋଗାଯୋଗ ଭଲ ହେବ ଏହାର ମୂଳ ଲକ୍ଷ୍ୟ ଥିଲା। ଏହି ରାସ୍ତା ପାଇଁ ଅତିକମ୍‌ରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ମଞ୍ଜୁର ହୋଇଥାଏ। ତେବେ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଯଥା ଯନ୍ତ୍ରୀଙ୍କ କଳୁଷିତ ମନୋବୃତ୍ତି ଯୋଗୁ ଉକ୍ତ ରାସ୍ତାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ। ସରକାରଙ୍କ ନିୟମକୁ କନ୍ଧମାଳ ଜିଲାରେ ସବୁଠି ଉଲ୍ଲଂଘନ କରାଯାଉଛି। ଯେତିକି ସମୟ ସୀମା ମଧ୍ୟରେ କାର୍ଯ୍ୟ ସରିବା କଥା ତାହା ହେଉନାହିଁ। ଠିକାଦାରମାନେ ସମୟ ଗଡାଇ ଚାଲୁଥିବା ବେଳେ ଯନ୍ତ୍ରୀମାନେ ସେମାନଙ୍କୁ ଏଥିରେ ସହାୟତା କରୁଛନ୍ତି। ପିଏମ୍‌ଜିଏସ୍‌ୱାଇରେ ରାସ୍ତା କାମ ପାଇଁ ଟେଣ୍ଡର ଡକାଯିବା ପରେ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ତାରିଖ ଧାର୍ଯ୍ୟ ହୋଇଥାଏ। କାମ ସରିବା ପରେ ୫ ବର୍ଷ (ଗ୍ୟାରେଣ୍ଟି ପିରିୟଡ) ପର୍ଯ୍ୟନ୍ତ ରାସ୍ତାରେ କିଛି ତ୍ରୁଟି ପରିଲକ୍ଷିତ ହେଲେ ଠିକାଦାର ବିନା ଟଙ୍କାରେ ସେହି କାମ କରିବାକୁ ବାଧ୍ୟ। ନଚେତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିୟମ ରହିଛି। ତେବେ ଜିଲାରେ କୌଣସି ଗୋଟିଏ ବି ପିଏମ୍‌ଜିଏସ୍‌ୱାଇ କାମ ନିର୍ଦ୍ଧାରିତ ସମୟରେ ସରୁନାହିଁ। ଆଜି ପର୍ଯ୍ୟନ୍ତ କୌଣସି ବି ଜଣେ ଠିକାଦାରଙ୍କ ବିରୋଧରେ ସେଭଳି କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅର୍ଥାତ୍‌ କାହାକୁ ବ୍ଲାକ ଲିଷ୍ଟେଡ କିମ୍ବା ଜରିମାନା କରାଯାଇନାହିଁ। ଯନ୍ତ୍ରୀମାନେ ନିଜର ଫାଇଦା ପାଇଁ ଠିକାଦାରମାନଙ୍କୁ ଜାଣିଶୁଣି ସମୟ ଗଡାଇବାକୁ ପ୍ରୋତ୍ସାହନ କରୁଛନ୍ତି। ଠିକାଦାରମାନେ ନିର୍ଦ୍ଧାରିତ ସମୟରେ କାମ ନ ସାରି ଗ୍ୟାରେଣ୍ଟି ପିରିୟଡ଼ ଶେଷ ହେବା ପର୍ଯ୍ୟନ୍ତ ମୂଳ କାମକୁ ଗଡାଇ ନେଉଛନ୍ତି। ସେପଟେ କାମ ଠିକ୍‌ ହୋଇଛି ବୋଲି ସେମାନଙ୍କ ବିଲ୍‌ କରି ଦିଆଯାଉଛି। କାମ ଅତ୍ୟନ୍ତ ନିମ୍ନମାନର ହେଉଛି। ଚାଲାଖି କରି ବୋର୍ଡରେ ୫ ବର୍ଷ ପୂର୍ବେ କାମ ସରିଛି ବୋଲି ଉଲ୍ଲେଖ କରାଯାଉଛି। ଏଥିରେ ଯନ୍ତ୍ରୀ, ଏସ୍‌ଡିଓ ଏବଂ ନିର୍ବାହୀ ଯନ୍ତ୍ରୀ ବ୍ୟାପକ ମୁନାଫା ଉଠାଉଛନ୍ତି। ଗତ ୧୫ ତାରିଖରେ ଜିଲା ପରିଷଦର ଏକ ସ୍ବତନ୍ତ୍ର ବୈଠକ ଡକାଯାଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୩ ବାବଦରେ ଆଲୋଚନା ହୋଇ ୧୨୬ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ପିଏମ୍‌ଜିଏସ୍‌ୱାଇ-୧ ଓ ୨ ପରେ ଏବେ ୩ ଆସୁଥିବାରୁ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କ ଓଠରୁ ଖାଲି ମହୁ ଝରୁଛି।