Categories: ବାଣିଜ୍ୟ

ପିଏନ୍‌ବି ହେଲା ଦେଶର ଦ୍ୱିତୀୟ ବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ, ୨।୪: ପହିଲାରୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସବୁ ଶାଖା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଶାଖା ଭାବେ କାର୍ଯ୍ୟ ଆରମ୍ଭ କରିଛି। ଏହା ଫଳରେ ପିଏନ୍‌ବି ଦେଶର ଦ୍ୱିତୀୟ ସର୍ବବୃହତ୍ତ ବ୍ୟାଙ୍କ ଭାବେ ପରିଗଣିତ ହୋଇଛି। ପିଏନ୍‌ବି ୨.୦ ଦ୍ୱାରା ପରବର୍ତ୍ତୀ ପିଢି ବ୍ୟାଙ୍କିଙ୍ଗ ସେବା ଯୋଗାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ମିଶ୍ରଣ ହୋଇଥିବା ୨ ବ୍ୟାଙ୍କର ଜମାକାରୀ ଏବେଠାରୁ ପିଏନ୍‌ବିର ଗ୍ରାହକ ଭାବେ ମଧ୍ୟ ବିବେଚିତ ହେବେ। ନୂଆ ବ୍ୟାଙ୍କରେ ୧୧ ହଜାରରୁ ଅଧିକ ଶାଖା, ୧୩ ହଜାରରୁ ଅଧିକ ଏଟିଏମ୍‌ ଏବଂ ୧ ଲକ୍ଷ କର୍ମଚାରୀ ରହିବେ। ବ୍ୟାଙ୍କର ମୋଟ କାରବାର ୧୮ ଲକ୍ଷ କୋଟି ଟଙ୍କା ରହିବ ବୋଲି ସୂଚନା ରହିଛି। ପିଏନ୍‌ବି ୨.୦ ଇଣ୍ଟର ଅପରେବୁଲ ସର୍ଭିସ ପ୍ରଦାନ କରିବ। ଏକ ବୃହତ୍ତ ପରିସରରେ ସେବା ଯୋଗାଣ ହେଉଥିବାରୁ ଗ୍ରାହକଙ୍କ ଆବଶ୍ୟକତା ଭିତ୍ତିରେ ପରବର୍ତ୍ତୀ ପୀଢି ସର୍ଭିସକୁ ପ୍ରାଥମିକତା ଦିଆଯିବ ବୋଲି ବ୍ୟାଙ୍କର ସିଇଓ ସିଏଚ୍‌.ଏସ୍‌.ଏସ୍‌. ମଲ୍ଲିକାର୍ଜୁନ ରାଓ ସୂଚନା ଦେଇଛନ୍ତି।

Share