ପିଏକ୍ସଇର ପ୍ରତିଷ୍ଠା ସମାରୋହ

ବାଲେଶ୍ୱର ଅଫିସ,୧୬।୧୧-ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ପ୍ରତିଷ୍ଠାନ ପିଏକ୍ସଇ(ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ)ର ୧୨୫ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ପିଏକ୍ସଇର ନିର୍ଦ୍ଦେଶକ ତଥା ବିଶିଷ୍ଟ ବୈଜ୍ଞାନିକ ଦତ୍ତାତ୍ରୋୟ କ୍ରିଷ୍ଣାକାନ୍ତ ଯୋଶୀ ଉତ୍ସବକୁ ଉଦ୍‌ଘାଟନ କରି ଦେଶର ପ୍ରତିରକ୍ଷା କ୍ଷେତ୍ରରେ ପିଏକ୍ସଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଡିଆର୍‌ଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଙ୍ଗଠନ) ଅଧୀନ ଏହି ସର୍ବପୁରାତନ ପ୍ରତିଷ୍ଠାନକୁ ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।
ଏହି ଅବସରରେ ପ୍ରତିଷ୍ଠା ସମୟରେ କାର୍ଯ୍ୟରତ ତଥା ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସ୍ଲୋ ସାଇକେଲ ରେସ୍‌, ଥ୍ରୋ ବଲ୍‌, ଫୁଟବଲ୍‌ ମ୍ୟାଚ୍‌ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉତ୍ସବ କମିଟିର ଚେୟାରମ୍ୟାନ୍‌ ହିମାଂଶୁ ଶେଖର ପଣ୍ଡା ଓ ୱାକର୍‌ସ କମିଟି ନେତୃତ୍ୱରେ ଶତାଧିକ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ୧୨୫ତମ ସ୍ଥାପନା ଦିବସକୁ ସ୍ମରଣୀୟ କରିବା ଲାଗି ୧୨୫ଟି ଚାରାରୋପଣ କରାଯାଇଥିଲା। ଆସନ୍ତା ୧୭ତାରିଖରେ ପରିବେଶର ସୁରକ୍ଷା ନେଇ ଜନଜାଗରଣ ବୃଦ୍ଧି ପାଇଁ ବାଲେଶ୍ୱର ସହରରେ ଏକ ମାରାଥନ୍‌ ରାଲି ଏବଂ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ସେହିପରି ୨୦ ତାରିଖ ସନ୍ଧ୍ୟାରେ ଚାନ୍ଦିପୁରଠାରେ ପୁରସ୍କାର ବିତରଣ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।