ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବିକଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହହଜନକ ମୃତ୍ୟୁ ପ୍ରସଙ୍ଗକୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି। ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ସ୍ଥାନୀୟ ପୋଲିସ ପ୍ରଶାସନ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ଯେଭଳି ତଦନ୍ତ କରୁଛି ତାହା ସନ୍ଦେହପୂର୍ଣ୍ଣ ବୋଲି ଅଭିଯୋଗ କରିଛନ୍ତି। ଏଯାବତ୍‌ ପୋଲିସର କାର୍ଯ୍ୟକଳାପ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଖସାଇ ଦେବା ଓ ତଥ୍ୟ ପ୍ରମାଣକୁ ନଷ୍ଟ କଲାଭଳି ପ୍ରତୀୟ ହେଉଛି। ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁକୁ ଯେଭଳି ଭାବରେ ଆତ୍ମହତ୍ୟାର ରୂପ ଦିଆଯାଉଛି, ଏହା ପଛରେ ଶାସକ ଦଳର ବଡ଼ ବଡ଼ିଆ ନେତା ଓ ମାଫିଆଙ୍କ ହାତ ରହିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏହି ଅବସରରେ ଧର୍ମଶାଳା କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ସ୍ମୃତିରେଖା ପହି ଉପସ୍ଥିତ ଥିଲେ।
ପ୍ରକାଶ ଯେ, ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବୁଧବାର ସରପଞ୍ଚ ମଧୁସ୍ମିତା ଭଦ୍ର ଏବଂ ଅନ୍ୟମାନଙ୍କ ସହ ଚାରିବାଟିଆ ଓ ସୁଭଦ୍ରାପୁର ଗ୍ରାମକୁ ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିଲେ। ସେଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଫେରିବା ପରେ ନିକଟରେ ଥିବା ସରପଞ୍ଚଙ୍କ ଗେଷ୍ଟ ହାଉସକୁ ମଧ୍ୟାହ୍ନଭୋଜନ କରିବାକୁ ଯାଇଥିଲେ। ସାଙ୍ଗରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଓ ଅନ୍ୟକିଛି ସହଯୋଗୀ ଥିଲେ। ତେବେ ମଧ୍ୟାହ୍ନଭୋଜନ ପୂର୍ବରୁ ସ୍ମିତାରାଣୀ ବାଥଇରୁମ୍‌ ଯିବାକୁ କହି ଉପର ମହଲାକୁ ଯାଇଥିଲେ। ସେଠାରେ ସେ ଏକ କୋଠରିର ଫ୍ୟାନ୍‌ରେ ନିଜ ଓଢ଼ଣିରେ ଦଉଡ଼ି ଦେଇଥିଲେ। ଏହା ଜଣାପଡ଼ିବା ପରେ ରୂପେଶ ଓ ଅନ୍ୟମାନେ କବାଟ ଭାଙ୍ଗି ତାଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।