ପିଆଜ ଦର ବୃଦ୍ଧି ନେଇ ଖାଉଟି ଅସନ୍ତୁଷ୍ଟ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବୃଦ୍ଧି ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଏହି ସାମଗ୍ରୀ କିଲୋ ପିଛା ୩୮ରୁ ୪୨ ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ପିଆଜ ବ୍ୟବସାୟୀମାନେ ଅଧିକ ପିଆଜ ରଖିବାକୁ ପଛଘୁଞ୍ଚା ଦେଉଛନ୍ତି। ରାଜଧାନୀସ୍ଥିତ ଏକ ନମ୍ବର ମାର୍କେଟର ଏକାଧିକ ବ୍ୟବସାୟୀଙ୍କ କହିବାନୁଯାୟୀ, ରାଜ୍ୟରେ ପିଆଜ ଉତ୍ପାଦନ ଆଶାନୁରୂପ ହେଉନାହିଁ। ପିଆଜ ପାଇଁ ନାସିକ ଉପରେ ନିର୍ଭର କରିବାକୁ ପଡ଼େ। ୨ ମାସ ପୂର୍ବେ ଯେଉଁ ଦରରେ ପିଆଜ ଆମଦାନୀ ହେଉଥିଲା ତାହା ସେପରି ହେଉନାହିଁ। ଦର ବୃଦ୍ଧି ହେଉଥିବାରୁ ଖାଉଟି କେବଳ କାମଚଳା ଭାବେ ପିଆଜ କ୍ରୟ କରୁଥିବା ଆମେ ଲକ୍ଷ୍ୟ କରୁଛୁ। ଏ ପରିସ୍ଥିତି ଆସନ୍ତା ୨ରୁ ୩ ସପ୍ତାହ ଯାଏ ରହିବ ବୋଲି ଆଶଙ୍କା କରାଯାଉଛି।
ଅପରପକ୍ଷରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ପିଆଜ ଉତ୍ପାଦନ ହେଉଥିବା ନାସିକରେ ବନ୍ୟା ହୋଇଛି। ବନ୍ୟା ଦ୍ୱାରା ରାଜ୍ୟକୁ ଆମଦାନୀ ବାଧାପ୍ରାପ୍ତ ହୋଇଛି। ତେଣୁ ରାଜ୍ୟରେ ପିଆଜ ଦରବୃଦ୍ଧି ଦେଖାଦେଇଛି।