Categories: ବାଣିଜ୍ୟ

ପାସେଞ୍ଜର ଯାନ ବିକ୍ରି ୨୦% କମିଲା

ନୂଆଦିଲ୍ଲୀ,୧୯-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ୨୦% ହ୍ରାସ ଘଟିଛି। ଏହି ସମୟରେ ଯାନ ବିକ୍ରି ୨୦.୧% ହ୍ରାସ ଘଟି ୧,୫୭,୯୭୨ ୟୁନିଟ ରହିଛି। ଅଟୋ ନିର୍ମାତାମାନେ ଗ୍ରାହକଙ୍କୁ ଚଳିତ ବର୍ଷ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି। ମାତ୍ର ଗତ ବର୍ଷ ସମାନ ସମୟ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ଯାନ ବିକ୍ରି କମ୍‌ ହୋଇଛି। ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ଯାନ ବିକ୍ରି ପ୍ରଭାବିତ ସ୍ଥିତିରେ ରହିଥିବା ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଫାଡା) ଶୁକ୍ରବାର କହିଛି। ଗତ ବର୍ଷ ସେପ୍ଟେମ୍ବରରେ ଯାନ ବିକ୍ରି ୧,୯୭,୬୫୩ ୟୁନିଟ ରହିଥିଲା।
ଫାଡା ସୂଚନା ମୁତାବକ, ଦୁଇ ଚକିଆ ଯାନ ବିକ୍ରି ୧୨.୧ ହ୍ରାସ ଘଟିଛି। ଗତ ମାସରେ ଏହି ବର୍ଗରେ ବିକ୍ରି ୧୦,୯୮,୨୭୧ ୟୁନିଟ ରହିଛି। ଯାହା ଗତ ବର୍ଷ ସେପ୍ଟେମ୍ବରରେ ୧୨,୪୮,୯୯୮ ୟୁନିଟ ରହିଛି। ସେହିଭଳି ବାଣିଜି୍ୟକ ଯାନ ବିକ୍ରି ୧୮.୫% ଖସିଛି। ଗତ ବର୍ଷ ଏହା ୭୭,୯୮୦ ୟୁନିଟ ଥିବା ବେଳେ ଚଳିତ ବର୍ଷ ୬୩,୫୧୮ ୟୁନିଟକୁ କମିଛି। ଏହି ସମୟରେ ତିନି ଚକିଆ ଯାନ ବିକ୍ରି ୧.୮% ବଢିଛି। ଗତ ବର୍ଷ ସେପ୍ଟେମ୍ବରରେ ଏହା ୫୪,୫୬୦ ୟୁନିଟ ରହିଥିଲା। ଯାହା ବଢି ୫୫,୫୫୩ ୟୁନିଟ ରହିଛି। ବିଭିନ୍ନ ବର୍ଗ ଯାନ ବିକ୍ରି କଥା ବିଚାରକୁ ନେଲେ ଏହା ୧୨.୯% ଖସିଛି। ୨୦୧୮ ସେପ୍ଟେମ୍ବରରେ ବିିଭିନ୍ନ ବର୍ଗରେ ୧୫,୭୯,୧୯୧ ୟୁନିଟ ଯାନ ବିକ୍ରି ହୋଇଥିଲା। ଏହା ଗତ ମାସରେ ୧୩,୭୫, ୩୧୪ ୟୁନିଟ ରହିଛି।
ଯାନ ବିକ୍ରି ଏବେ ପ୍ରଭାବିତ ଥିବା ବେଳେ ଆଗାମୀ ଦିନରେ ବିକ୍ରି ଅଭିବୃଦ୍ଧି ନେଇ ଆଶାବାଦୀ ରହିଛୁ ବୋଲି ଫାଡାର ସଭାପତି ଆଶିଷ ହର୍ଷରାଜ କାଲେ କହିଛନ୍ତି। ପାର୍ବଣ ସମୟରେ ଲଗାଣ ବର୍ଷା ଯାନ ବିକ୍ରି ଉପରେ ପଡିଛି। ସରକାର ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ ଏବେ ମଧ୍ୟ ଯାନ ବିକ୍ରି ଉପରେ ଦେଖାଯାଇନାହିଁ ବୋଲି କାଲେ ମତ ଦେଇଛନ୍ତି। ସୂଚନା ଯୋଗ୍ୟ, ଫାଡା ପକ୍ଷରୁ ୧୪୬୧ ଆଟିଓ ମଧ୍ୟରୁ ୧,୧୮୮ରୁ ଡାଟା ସଂଗ୍ରହ କରାଯାଇଛି।

Share