Categories: ଜାତୀୟ

ପାର୍ଲାମେଣ୍ଟରେ କର୍ନାଟକ ତାତି:କେନ୍ଦ୍ରକୁ ଦାୟୀ କଲା କଂଗ୍ରେସ

ନୂଆଦିଲ୍ଲୀ,୯ା୭(ପି.ଟି.): କର୍ନାଟକରେ ରାଜନୈତିକ ସଙ୍କଟ ଲାଗି ରହିଥିବାବେଳେ ଏହାକୁ ନେଇ ସୋମବାର ଲୋକ ସଭାରେ ଝଡ଼ ସୃଷ୍ଟି ହୋଇଥିଲା। କର୍ନାଟକ ସ୍ଥିତି ସହ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କର କୌଣସି ସମ୍ପର୍କ ନାହିଁ, ଦଳବଦଳ ପାଇଁ କୌଣସି ବିଧାୟକ କିମ୍ବା ଏମ୍‌ପିଙ୍କ ଉପରେ ଚାପ ପକାଯାଇ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ସୋମବାର ଲୋକ ସଭାରେ କହିଛନ୍ତି। ପାର୍ଲାମେଣ୍ଟ ପବିତ୍ରତାର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
କର୍ନାଟକ ଓ ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ଭାଙ୍ଗିବା ପାଇଁ ଭାଜପା ନେତୃତ୍ୱାଧୀନ ସରକାର ଷଡ଼ଯନ୍ତ୍ର କରୁଛି ବୋଲି ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଅଭିଯୋଗ କରିଥିଲେ। ସେମାନେ କଂଗ୍ରେସ ବିଧାୟକମାନଙ୍କୁ ମୁମ୍ବାଇର ପଞ୍ଚତାରକା ହୋଟେଲରେ ରଖିଛନ୍ତି। ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିବା ପରେ ହଠାତ୍‌ ସେମାନଙ୍କ ପାଇଁ ଗାଡି, ବିମାନ ଓ ହୋଟେଲ ବ୍ୟବସ୍ଥା ହେଲା କିପରି ବୋଲି ସେ ପ୍ରଶ୍ନ କରିଥିଲେ। ଭାଜପା ଘୋଡ଼ାବେପାରୀ ଦଳ ଏବଂ କେନ୍ଦ୍ର ସରକାର ଗଣତନ୍ତ୍ର ପ୍ରତି ବିଶ୍ୱାସଘାତ କରିଥିବା ଶୂନ୍ୟକାଳରେ ଅଧୀର ଅଭିଯୋଗ କରିଥିଲେ।
କଂଗ୍ରେସ ସଦସ୍ୟଙ୍କ ଅଭିଯୋଗକୁ ଖଣ୍ଡନ କରି ରାଜନାଥ କହିଥିଲେ, କଂଗ୍ରେସରେ ଇସ୍ତଫା ପର୍ବ ଦଳର ନେତା ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ ହୋଇଛି। ଏହି ଦଳର ବଡ଼ ନେତାମାନେ ଇସ୍ତଫା ଦେଉଛନ୍ତି। ଏହା ପରେ ଗୃହରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିବା ସହ ପ୍ଲାକାର୍ଡ ଦେଖାଇଥିଲେ। ଶାନ୍ତ ହେବା ପାଇଁ ବାଚସ୍ପତି ଓମ୍‌ ବିର୍ଲାଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସେମାନେ ହଟ୍ଟଗୋଳ ଜାରି ରଖିଥିଲେ।

Share