ପାର୍କିଂ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ କଲେ ମଲ୍‌ ଖୋଲିବା ମନା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଉଦ୍‌ଘାଟନ ଅପେକ୍ଷାରେ ଥିବା ଉତ୍କଳ କଳିକା ମଲ୍‌କୁ ଲାଗିଛି ଝଟ୍‌କା। ପାର୍କିଂ ସହ ଅନ୍ୟ କେତେକ ବ୍ୟବସ୍ଥା ନ ଥିବାରୁ ମଲ୍‌ ସଂକ୍ରାନ୍ତରେ ଟ୍ରାଫିକ ଡିସିପି ସାଗରିକା ତାଡ଼ ବିଡିଏକୁ ଅବଗତ କରାଇଛନ୍ତି। ପାର୍କିଂ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ କରାଯିବା ପର୍ଯ୍ୟନ୍ତ ମଲ୍‌ ଖୋଲିବାକୁ କମିଶନରେଟ ପୋଲିସ ପକ୍ଷରୁ ମନା କରାଯାଇଛି।
ସୂଚନାଯୋଗ୍ୟ, ଜନଗହଳିପୂର୍ଣ୍ଣ କଳ୍ପନା ଛକରେ ଉତ୍କଳ କଳିକା ମଲ୍‌ ରହିଛି। ଉକ୍ତ ଛକଦେଇ ପ୍ରତିଦିନ ହଜାର ହଜାର ଗାଡ଼ିମୋଟର ଯିବାଆସିବା କରୁଛି। ଗ୍ରାହକ ଓ ବୁଲିବାକୁ ଆସୁଥିବା ଲୋକଙ୍କ ଗାଡିମୋଟର ପାଇଁ ମଲ୍‌ ପକ୍ଷରୁ ସେପରି କୌଣସି ପାର୍କିଂ ବ୍ୟବସ୍ଥା କରାଯାଇ ନାହଁ। ସମ୍ମୁଖରେ ବିଏମ୍‌ସିର ଯେଉଁ ଜାଗା ରହିଛି ତାହାକୁ ମଧ୍ୟ ମଲ୍‌ ସେଲ୍‌ଫି ଜୋନ୍‌ କରିଦେଇଛି। ମଲ୍‌ ସମ୍ମୁଖ ରାସ୍ତାରୁ ଯାତ୍ରବାହୀ ଗାଡ଼ିଗୁଡିକ ଲୋକଙ୍କୁ ଉଠାଇଥାନ୍ତି। ଏହାସହ ଆର୍‌ ଆଣ୍ଡ୍‌ ବି ମଧ୍ୟ ଉକ୍ତ ଛକକୁ ଆହୁରି ପ୍ରଶସ୍ତ କରିବାର ଯୋଜନା ରଖିଛି। ରାସ୍ତା ଚଉଡ଼ା ହେଲେ ମଲ୍‌ ସମ୍ମୁଖ ସଙ୍କୁଚିତ ହୋଇଯିବ। ମଲ୍‌ ଖୋଲିବା ପରେ ସେଠାରେ ଏକ ପ୍ରକାର ଜଟିଳ ଟ୍ରାଫିକ ସମସ୍ୟା ଦେଖାଦେବ। ଭବିଷ୍ୟତକୁ ଦୁଷ୍ଟିରେ ରଖି ଟ୍ରାଫିକ ଡିସିପି ବିଡିଏକୁ ଏସମ୍ପର୍କରେ ଅବଗତ କରାଇବା ପରେ ମଲ୍‌କୁ ନୋଟିସ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ମଲ୍‌ କର୍ତ୍ତୃପକ୍ଷ ତରବରିଆ ଭାବେ ଖୋଲିବା ପାଇଁ ଯୋଜନା କରୁଛନ୍ତି। ମଲ୍‌ ଥିବା ସ୍ଥାନରେ ବିଭିନ୍ନ ସମସ୍ୟା ଥିବାରୁ ଆଗାମୀ ଦିନରେ ଏହାକୁ ନେଇ ଏକ ବୈଠକ ବସିବ। ମଲ୍‌ ବନ୍ଦ ହେବ ନା ଅନ୍ୟ ସମସ୍ତ ବ୍ୟବସ୍ଥା କରାଯାଇ ଖୋଲାଯିବ ତାହା ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଡିସିପି ନାଥ ସୂଚନା ଦେଇଛନ୍ତି।