ପାରାଦୀପରେ କରୋନା ସନ୍ଦିଗ୍ଧ: ସିଙ୍ଗାପୁରରୁ ଆସିଥିବା ଜାହାଜର ୨ଜଣଙ୍କୁ ଏସ୍‌ସିବି ପଠାଗଲା

ପାରାଦୀପ,୩।୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ମଙ୍ଗଳବାର ଲାଗିଥିବା ଏକ ଜାହାଜରେ ଦୁଇ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ପ୍ରାଥମିକ ଯାଞ୍ଚ କରାଯାଇ ଏସ୍‌ସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ପୂର୍ବାହ୍ନ ୧୧ଟାରେ ସିଙ୍ଗାପୁରରୁ ଆସିଥିବା ଉକ୍ତ ଜାହାଜଟି ପାରାଦୀପ ବନ୍ଦରରେ ଲାଗିଥିଲା। ସେଥିରେ ଥିବା କର୍ମଚାରୀ ଓ ଅନ୍ୟମାନଙ୍କର ଯାଞ୍ଚ କରାଯାଇଥିଲା। ପାରାଦୀପ ବନ୍ଦର ପକ୍ଷରୁ ନିଯୁକ୍ତ ସ୍ବତନ୍ତ୍ର ଡାକ୍ତର ଦଳ ପରୀକ୍ଷା କରି ଦୁଇ ସ୍ତ୍ରୀସ୍ବାମୀଙ୍କ ନିକଟରେ କରୋନା ଲକ୍ଷଣ ଥିବା ଜାଣିବାକୁ ପାଇଥିଲେ। ଜ୍ୱରରେ ଆକ୍ରାନ୍ତ ସହ ଥଣ୍ଡା ଥିବାରୁ ଉଭୟଙ୍କୁ ଏସ୍‌ସିବି ପଠାଯାଇଛି। ଉଭୟ ଭାରତୀୟ ବୋଲି ଜଣାପଡ଼ିଛି।ଯାଞ୍ଚ ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ତେବେ ଜାହାଜରେ ଥିବା ଅନ୍ୟମାନଙ୍କ ନିକଟରେ କରୋନା ଲକ୍ଷଣ ନ ଥିବା ଜଣାପଡ଼ିଛି।