ପାନ ତାତି: ଶ୍ରୀମନ୍ଦିରରେ ସହାୟକଙ୍କୁ ଧକ୍କା ମାରିଲେ ସେବାୟତ

ପୁରୀ ଅଫିସ, ୧୮ା୨: ଶ୍ରୀମନ୍ଦିର ଭିତରକୁ କେହି ପାନ, ଗୁଟ୍‌ଖା ଖାଇ ଯାଇପାରିବେ ନାହିଁ। ଏହା ଉପରେ କଟକଣା ଲଗାଇଛି ମନ୍ଦିର ପ୍ରଶାସନ। ଅବମାନନା କଲେ ଜରିମାନା ଆଦାୟର ବ୍ୟବସ୍ଥା ହୋଇଛି। ଏହାସତ୍ତ୍ବେ କେତେଜଣ ସେବାୟତ, କର୍ମଚାରୀ ଏବଂ ଯାତ୍ରୀ ଗୁମାସ୍ତା ଏହାକୁ ମାନୁନାହାନ୍ତି। ବାରମ୍ବାର କହିବା ସତ୍ତ୍ବେ ପାନ ଖାଇ ମନ୍ଦିରକୁ ଆସୁଛନ୍ତି। ଜଣେ ସହାୟକ ମଙ୍ଗଳବାର ସେବାୟତଙ୍କ ଆକ୍ରୋଶର ସମ୍ମୁଖୀନ ହେବା ଘଟଣା ଏହାକୁ ସ୍ପଷ୍ଟ କରିଛି। ସହାୟକ ଜଣକ ମନ୍ଦିର ଭିତରେ ପାନ କାହିଁକି ଖାଉଛ ବୋଲି ପଚାରିବାରୁ ତାଙ୍କୁ ଜଣେ ସେବାୟତ ଧକ୍କା ମାରିଥିବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସକାଳେ ଜଣେ ଯାତ୍ରୀ ଗୁମାସ୍ତା ପାନ ଖାଉଥିଲେ। ତାଙ୍କୁ ଜଣେ ସହାୟକ ମନ୍ଦିର ଭିତରେ ପାନ, ଗୁଟ୍‌ଖା ଖାଇବା ଉପରେ କଟକଣା ଅଛି, କାହିଁକି ପାନ ଖାଉଛ ବୋଲି ପଚାରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ସେବାୟତ ସମ୍ପୃକ୍ତ ସହାୟକଙ୍କୁ ଠେଲି ଦେଇଥିଲେ। ଫଳରେ ଏହାକୁ ନେଇ କିଛି ସମୟ ମନ୍ଦିର ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପରେ ସହାୟକ ଜଣଙ୍କ ଲିଖିତ ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛନ୍ତି।