ପାଣି ପିଇବା ବାହାନରେ ସୁନାଚେନ୍‌ ଲୁଟ୍‌ ଉଦ୍ୟମ: ଲୋକେ ନିର୍ଧୁମ ପିଟିବା ପରେ ପୋଲିସ ଜିମା ଦେଲେ

ବାହାନଗା, ୧୬ା୮(ଡି.ଏନ.ଏ.)-ବାହାନଗା ଦରଡିଆସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ଘରକୁ ଜଣେ ଯୁବକ ପାଣି ପିଇବା ବାହାନାରେ ଯାଇ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍‌ କରି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ଶେଷରେ ଲୋକଙ୍କ ହାତରେ ଧରାପଡି ନିର୍ଧୁମ ମାଡ ଖାଇଛନ୍ତି। ପରେ ତାଙ୍କୁ ପୋଲିସ ଜିମା ଦିଆଯାଇଛି।
ଦରଡିଆଠାରେ ବିଜୟଲକ୍ଷ୍ମୀ ଦାସଙ୍କ ଘରେ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ବେଳେ ହଳଦୀପଦା ଅଞ୍ଚଳର ତ୍ରିରଙ୍ଗା ଗ୍ରାମର ଜୟଦେବ ପ୍ରଧାନ ଅନ୍ୟ ଦୁଇଜଣ ସାଥିଙ୍କ ସହିତ ମହିଳାଙ୍କ ଘର ଆଗରେ ପହଞ୍ଚିଥିଲେ। ତେବେ ଗାଡି ଚାଳକ ଓ ଅନ୍ୟ ଜଣେ ଯୁବକ ଘର ଆଗଠାରୁ ବିଇଓ ଅଫିସ୍‌ ନିକଟରେ ମୋଟର ସାଇକେଲରେ ଛିଡା ହୋଇ ଥିବା ବେଳେ ଜୟଦେବ ପାଣି ପିଇବା ବାହାନାରେ ବିଜୟଲକ୍ଷ୍ମୀଙ୍କ ଘରକୁ ଯାଇଥିଲେ। ସେଠାରେ ପାଣି ପିଇବା ପାଇଁ ମାଗିବାରୁ ବିଜୟଲକ୍ଷ୍ମୀ ଘର ଭିତରୁ ପାଣି ଆଣି ଯୁବକଙ୍କୁ ଦେଇଥିଲେ ା ତେବେ ଯୁବକ ଆଉ ଏକ ଗ୍ଲାସ ପାଣି ପିଇବା ପାଇଁ ମାଗିବାରୁ ମହିଳା ଜଣକ ବୁଲିପଡି ଘର ଭିତରକୁ ଯିବା ବେଳେ ଜୟଦେବ ପଛପଟୁ ମହିଳା ପିନ୍ଧିଥିବା ସୁନା ଚେନକୁ ଛିଡାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ା ଏହି ସମୟରେ ମହିଳା ଜଣକ ଚିକତ୍ାର କରିବାରୁ ଘରେ ଥିବା ତାଙ୍କର ଦୁଇ ବୋହୂ ରାସ୍ତାକୁ ଆସି ଚୋର ଚୋର ବୋଲି ଡାକ ପକାଇବାରୁ ଲୋକମାନେ ତାଙ୍କୁ ଧରିବା ପାଇଁ ଗୋଡାଇଥିଲେ ା ଫଳରେ ମୋଟରସାଇକେଲ ଷ୍ଟାଟ୍‌ କରି ଜଗି ରହିଥିବା ଦୁଇ ଯୁବକଙ୍କୁ ଜୟଦେବ ସୁନା ଚେନ ବଢାଇ ଦେବା ସହିତ ଗାଡିରେ ଚଢି ନ ପାରିବାରୁ ବିଲ ଆଡକୁ ଦୌଡିଥିଲେ। ଫଳରେ ଲୋକମାନେ ବିଲରେ ଦୌଡି ଦୌଡି ଚେନ୍‌ ଚୋରି କରିଥିବା ଯୁବକଙ୍କୁ କାବୁ କରି ଉତ୍ତମ ମଧ୍ୟମ ଛେଚିଥିଲେ। ଖବରପାଇ ଖନ୍ତାପଡା ଥାନା ପୋଲିସ୍‌ ପହଞ୍ଚିବାରୁ ଲୋକମାନେ ଯୁବକଙ୍କୁ ପୋଲିସ ଜିମା ଦେଇଥିଲେ।