ପାଣି ପାଇଁ ରାସ୍ତାରୋକୋ

ଢେଙ୍କାନାଳ ଅଫିସ, ୪ା୨

ରାସ୍ତା ମରାମତି ଏବଂ ପାନୀୟ ଜଳଯୋଗାଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଢେଙ୍କାନାଳ ପୌରାଞ୍ଚଳର ୯ନଂ. ୱାର୍ଡ କଣ୍ଟାନାଳୀ ବାଉତିଖୋଲ ଅଞ୍ଚଳବାସୀ। ପ୍ରତିବାଦ ସ୍ବରୂପ ସେମାନେ ଏକାଠି ହୋଇ ସୋମବାର ପୂର୍ବାହ୍ନ ୮ଟାରୁ ୩ଘଣ୍ଟା ଧରି ଫଟାବନ୍ଧଠାରେ ଢେଙ୍କାନାଳ-ଭାପୁର ରାସ୍ତାରେ ଗରା, ବାଲ୍‌ଟି ଧରି ରାସ୍ତାରୋକୋ କରିଥିଲେ।
ଅଭିଯୋଗ ଅନୁଯାୟୀ, ଅଞ୍ଚଳ ପ୍ରମୁଖ ସମସ୍ୟା ପାନୀୟଜଳ। ଏ ନେଇ ୨୦୧୮ ମାର୍ଚ୍ଚ ୧୨, ୨୦୧୯ ଏପ୍ରିଲ ୬ ଏବଂ ୨୦୨୦ ଜାନୁୟାରୀ ୨୮ରେ ଅଞ୍ଚଳବାସୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅଞ୍ଚଳକୁ ବାଦ୍‌ ଦେଇ ସାହିଠାରୁ ୨କିମି ଦୂରରେ ବୋରିଂ ଜଳଯୋଗାଣ ବ୍ୟବସ୍ଥା ଅଛି। ହେଲେ ସଂଯୋଗ ଦିଆଯାଇ ନ ଥିବାରୁ ଲୋକମାନେ ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି ଅଞ୍ଚଳକୁ ଯାଇଥିବା ରାସ୍ତା ୧୭ ବର୍ଷ ହେଲା ମରାମତି ହୋଇ ନ ଥିବାରୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଦୁଇ ପ୍ରମୁଖ ସମସ୍ୟାର ସମାଧାନ ଦାବିରେ ଅଞ୍ଚଳବାସୀ ରାସ୍ତାରୋକୋ କରିଥିଲେ। ଉକ୍ତ ରାସ୍ତାଦେଇ ଜନ ଅଭିଯୋଗ ଶୁଣାଣି ଶିବିରକୁ ଯାଉଥିବା ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା ଘଟଣାରେ ହସ୍ତକ୍ଷେପ କରିଥିଲେ। ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଡକାଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୬ ତାରିଖରେ ପାନୀୟଜଳ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସରିବ। ଏହା ପରେ କାର୍ଯ୍ୟ ଆରମ୍ଭ ପାଇଁ ପଦକ୍ଷେପ ନିଆଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟାଉନଥାନା ପୋଲିସ ଉପସ୍ଥିତିରେ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକୋ ହଟିଥିଲା।