ପାଣିରେ ଚାଲିବ ଗାଡି: ମାଇଲେଜ୍‌ ଦେବ ୩୦ କି.ମି.

ହାଇଦ୍ରାବାଦ,୪।୧୨: ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ୁଥିବା ବେଳେ ଗ୍ଲୋବାଲ ଓ୍ବାର୍ମିଂ ମଧ୍ୟ ବଢ଼ି ବଢ଼ି ଚାଲିଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହାଇଦ୍ରାବାଦର ମେକାନିକାଲ ଇଞ୍ଜିନିୟର ସୁନ୍ଦର ରମୈୟା ଏକ ବିକଳ୍ପ ବାହାର କରିଛନ୍ତି। ଯାହାକି ଦେଶର ଅନେକ ସମସ୍ୟାର ସମାଧାନ କରିପାରିବ। ସୁନ୍ଦର ଏକ ଜଳ ଇନ୍ଧନ ପ୍ରକ୍ରିୟା ଆବିଷ୍କାର କରିଛନ୍ତି। ଏଣିକି ପେଟ୍ରୋଲ ଓ ଡିଜେଲରେ ଚାଲୁଥିବା ବାହନଗୁଡ଼ିକ ପାଣିରେ ବି ଚାଲିପାରିବେ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଏହା ବାସ୍ତବରେ ସତ। ସୁନ୍ଦର ଆବିଷ୍କାର କରିଥିବା ଜଳ ଇନ୍ଧନ ପ୍ରକ୍ରିୟାରେ ଗାଡିଗୁଡ଼ିକ ପାଣିରେ ଚାଲିପାରିବ। ଆଉ ସବୁଠାରୁ ବଡ କଥା ହେଉଛି, ୧ ଲିଟର ପାଣିରେ ୩୦କିଲୋମିଟର ମାଇଲେଜ୍‌ କ୍ଷମତା ରହିଛି।

ଏଥିସହ ୧୦ରୁ ୧୫ ମିନିଟ୍‌ ଭିତରେ ବିଷାକ୍ତ ଗ୍ୟାସ୍‌କୁ ୮୦ପ୍ରତିଶତ ଅମ୍ଳଜାନରେ ପରିବର୍ତ୍ତନ କରିଦେବ ବୋଲି ସୁନ୍ଦର କହିଛନ୍ତି। ଏବେ ପର୍ଯ୍ୟନ୍ତ ସେ ୧୭ହଜାରରୁ ଊର୍ଦ୍ଧ୍ୱ ଡେମୋ ଦେଇସାରିଥିବା ବେଳେ ୨ଲକ୍ଷ ଗାଡିରେ ଏହି କୌଶଳ ପ୍ରୟୋଗ କରାଯାଇଥିବା ଜଣାପଡ଼ିଛି। ଗୋଟିଏ ପଟେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଚାଳକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟୁଥିବା ବେଳେ ଅନ୍ୟପଟେ ଗାଡି ସଂଖ୍ୟା ବୃଦ୍ଧି ଯୋଗୁ ପରିବେଶ ପ୍ରଦୂଷିତ ମଧ୍ୟ ହେଉଛି। ହେଲେ ଏବେ ଆଉ ତୈଳ ଦର କି ପ୍ରଦୂଷଣର ଭୟ ରହିବ ନାହିଁ। ଗାଡିଗୁଡିକ ଲାଗି ହେଉଥିବା ପ୍ରଦୂଷଣ ସମ୍ପୂର୍ଣ୍ଣ କମ୍‌ ହୋଇଯିବ ବୋଲି ଆଶା କରାଯାଉଛି।

Share