‘ପାଣିପିଆ ଘଣ୍ଟା’ ଅଭିଯାନ: ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବାଜିଲା ଘଣ୍ଟା

ବ୍ରହ୍ମପୁର ଅଫିସ,୨୫।୧୧: ଛାତ୍ରୀଛାତ୍ରଙ୍କ ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି। ପାଣି ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାରଠାରୁ ‘ପାଣିପିଆ ଘଣ୍ଟା’ ଅଭିଯାନ ଆରମ୍ଭ ହୋଇଛି। ବ୍ରହ୍ମପୁରସ୍ଥିତ ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଛାତ୍ରୀମାନଙ୍କୁ ପାଣି ବୋତଲ ବାଣ୍ଟିବା ସହ ନିୟମିତ ପାଣି ପିଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବ୍ରହ୍ମପୁର ଉପଜିଲାପାଳ ଶିନ୍ଦେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଏବଂ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲାପାଳ କୁଲାଙ୍ଗେ କହିଛନ୍ତି, ନିୟମିତ ପାଣି ପିଇବା ଦ୍ୱାରା ଅନେକ ରୋଗ ଆଶଙ୍କାକୁ ଦୂର କରାଯାଇପାରିବ। ଅନେକ ସମୟରେ ଛାତ୍ରୀଛାତ୍ର ପାଣି ପିଇବାକୁ ଭୁଲିଯାଉଛନ୍ତି। ଫଳରେ ସେମାନେ ଅନେକ ସ୍ବାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ଅଭିଯାନରେ ସମସ୍ତ ଘରୋଇ ଏବଂ ସରକାରୀ ବିଦ୍ୟାଳୟ ସହ ଅଙ୍ଗନୱାଡ଼ିଗୁଡ଼ିକୁ ସାମିଲ କରାଯାଇଛି। ବେଲ୍‌ ବାଜିଲେ ପିଲା ଏବଂ ଶିକ୍ଷକମାନେ ପାଣି ପିଇବେ। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟା ୪୦ ମିନିଟ୍‌, ଅପରାହ୍ନ ୧. ୩୦ ଏବଂ ୩ଟା ୧୫ ମିନିଟ୍‌ରେ, ସେହିଭଳି ଶନିବାର ସକାଳ ୮, ପୂର୍ବାହ୍ନ ୯.୩୦ ଏବଂ ୧୦ଟା ୫୦ ମିନିଟ୍‌ରେ ଘଣ୍ଟା ବାଜିବ। ଏହି ସମୟରେ ସମସ୍ତେ ଏକକାଳୀନ ପାଣି ପିଇବେ। ୫ ମିନିଟ୍‌ ପାଇଁ ଏହି ବିରତି ଦିଆଯିବ ବୋଲି ଜିଲାପାଳ କୁଲାଙ୍ଗେ କହିଛନ୍ତି।