ପାଠ, ପରିବାର ପାଇଁ ପେଟ୍ରୋଲ ପମ୍ପରେ ଚାକିରି ସହ ଟ୍ରାଫିକ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର

ଜୟପୁର,୩୦।୧(ଡି.ଏନ୍‌.ଏ.) ଅର୍ଥର ଅଭାବ ଥିଲା, ତା’ ସାଙ୍ଗକୁ ପରିବାରର ଗୁଜୁରାଣ ଚିନ୍ତା। ଘରର କେଉଁ ପୁରୁଷ ମୁଣ୍ଡକୁ ନୁହେଁ, ବରଂ ୨ ଜଣ କିଶୋରୀଙ୍କୁ ଘାରିଥିଲା ଏହି ଚିନ୍ତା। ପାଠପଢ଼ା ସେଠି ଅପହଞ୍ଚ ସ୍ବପ୍ନ ଥିଲା। କିନ୍ତୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗରୁ ଥିବା ଏହି ୨ ଛାତ୍ରୀ ଏତେ ଦୃଢ଼ମନା ଯେ ଜୀବନର ଏହି ଆହ୍ବାନକୁ ଅତି ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି। ପରିବାରର ପେଟ ପୋଷିବା ସହ ଉଭୟ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ରୋଜଗାର ଆଶାରେ ଏବେ ଦୈନିକ ୧୧ ଘଣ୍ଟା ଖଟୁଛନ୍ତି। ପେଟ୍ରୋଲ ପମ୍ପରେ ଚାକିରି କରିଛନ୍ତି, ତା’ ସାଙ୍ଗକୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିଅର ଭାବେ ପୋଲିସକୁ ସହଯୋଗ ମଧ୍ୟ କରୁଛନ୍ତି।
କୋରାପୁଟ ଜିଲା ଜୟପୁର ସହରର ବୋରିଗୁମ୍ମା ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଛନ୍ତି ୨ ଜଣ ଛାତ୍ରୀ ବାସନ୍ତୀ ମାଟାମ (୨୨) ଓ ମଙ୍ଗଳଦେଈ ପେଣ୍ଠିଆ (୨୨)। ଗତ ଗୁରୁବାରରୁ ମାତ୍ର ଏକ ସପ୍ତାହ ହେଲା ସେମାନେ ପେଟ୍ରୋଲ ପମ୍ପରେ ଚାକିରି ଆରମ୍ଭ କରିଛନ୍ତି। ମାସିକ ୭ରୁ ୮ ହଜାର ଦରମା ମିଳିବ। ତା’ ସାଙ୍ଗକୁ ଜୟପୁର ଟାଉନଥାନା ପକ୍ଷରୁ ଷ୍ଟୁଡେଣ୍ଟସ ଟ୍ରାଫିକ ଭଲ୍ୟୁଣ୍ଟର (ଏସ୍‌ଟିଭି) ଭାବେ ସହରର ଟ୍ରାଫିକ ନିୟନ୍ତ୍ରଣ କାମରେ ମଧ୍ୟ ନିୟୋଜିତ ହୋଇଛନ୍ତି। ସେଥିରୁ ଦୈନିକ ଶହେ ଟଙ୍କା ପାଉଣା ମିଳୁଛି। ଏମାନଙ୍କ ମଧ୍ୟରୁ ବାସନ୍ତୀଙ୍କ ଘର ବୈପାରୀଗୁଡ଼ା ବ୍ଲକ ଟଙ୍ଗିଣିଗୁଡ଼ା। ବାପା ଦିନ ମଜୁରିଆ ଓ ପରିବାରରେ ୫ ଭଉଣୀ ଓ ଗୋଟିଏ ଭାଇ। ବାସନ୍ତୀ ସବୁ ଭଉଣୀ-ଭାଇଙ୍କ ମଧ୍ୟରେ ବଡ଼। ଦୁଇ ସାନ ଭଉଣୀ କଲେଜରେ ପଢୁଥିବାରୁ ତାଙ୍କ ପାଠପଢ଼ାର ଦାୟିତ୍ୱ ବାସନ୍ତୀଙ୍କ ଉପରେ ରହିଛି। ବାସନ୍ତୀ ନିଜେ ମଧ୍ୟ ଉଚ୍ଚଶିକ୍ଷିତ ହେବାକୁ ଆଶା ରଖିଛନ୍ତି। ସେ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ପାସ୍‌ କରିବା ପରେ ଏବେ ସ୍ନାତକୋତ୍ତରରେ ନାମଲେଖା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେହିପରି ମଙ୍ଗଳଦେଈ ପେଣ୍ଠିଆଙ୍କ ଘର ଜୟପୁର ବ୍ଲକ ଟାଙ୍କୁଗୁଡ଼ା ଗ୍ରାମ। ସେ ଚଳିତ ବର୍ଷ ଜୟପୁର ମହିଳା ମହାବିଦ୍ୟାଳୟରେ ସ୍ନାତକ ପରୀକ୍ଷା ଦେବେ। ଅନୁସୂଚିତ ଜନଜାତି ପରିବାରରେ ତାଙ୍କର ୮ ଭଉଣୀ ଭାଇ। ତାଙ୍କ ବାପା ଗାଁ ମାଲିକଙ୍କ ଜମିରେ କୃଷି ଶ୍ରମିକ। ପରିବାରର ଆର୍ଥତ୍କ ସ୍ଥିତି ଠିକ୍‌ ନ ଥିବା ଯୋଗୁ ଏହି ଦୁଇଜଣ କିଶୋରୀ ଏବେ ପରିବାର ସମ୍ଭାଳିବା ସହ ନିଜ ଭବିଷ୍ୟତ ନିଜେ ଗଢ଼ିବା ପାଇଁ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି। ପେଟ୍ରୋଲ ପମ୍ପ ମାଲିକ ମଧ୍ୟ କହିଛନ୍ତି, ଉଭୟ ଝିଅ ଭଲ କାମ କରୁଛନ୍ତି। ଆଗକୁ ମଧ୍ୟ ସେ ନିଜ ପେଟ୍ରୋଲ ପମ୍ପରେ ଯୁବତୀଙ୍କୁ ନିଯୁକ୍ତି ଦେବେ।