ପାଠ ପଢ଼ିବା ପାଇଁ ଜିଦ୍‌ କରିବାରୁ ପତ୍ନୀଙ୍କ ଆଙ୍ଗୁଳି କାଟିଲେ ସ୍ବାମୀ

ଢ଼ାକା,୧୪।୫: ବାଂଲାଦେଶର ରାଜଧାନୀ ଢ଼ାକାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ସ୍ନାତକ କରିବା ପାଇଁ ଜିଦ୍‌ କରିବାରୁ ତାଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି, ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ। ପତ୍ନୀ ଜଣଙ୍କ ସ୍ନାତକ କରିବାକୁ ଚାହୁଁଥିବାରୁ ଅଷ୍ଟମ ପାସ୍‌ କରିଥିବା ସ୍ବାମୀ ଏହା ଶୁଣି ଉତ୍ତ୍ୟକ୍ତ ହୋଇପଡିଥିଲେ। ଉତ୍ତ୍ୟକ୍ତ ଅବସ୍ଥାରେ ନିଜ ପତ୍ନୀଙ୍କ ପାଞ୍ଚ ଆଙ୍ଗୁଳି କାଟିଦେଇଛନ୍ତି। ସୂଚନାଯୋଗ୍ୟ, ରଫିକୁଲ ସାଉଦି ଆରବରେ କାମ କରନ୍ତି। କିଛି ଦିନ ତଳେ ସେ ବାଂଲାଦେଶକୁ ଫେରିଥିଲେ। ତେବେ ପତ୍ନୀ ହବା ଅଖତର ରଫିକୁଲଙ୍କ ବିନା ଅନୁମତିରେ ସ୍ନାତକ ପାଠପଢ଼ା ଆରମ୍ଭ କରିଥିଲେ। ରଫିକୁଲ ଏନେଇ ଜାଣିବା ପରେ ପାଠପଢ଼ା ପାଇଁ ବାରଣ କରିଥିଲେ। କିନ୍ତୁ ହବା ପାଠ ପଢ଼ା ଜରି ରଖିବାକୁ ଚାହୁଁଥିଲେ। ତେବେ ହବାଙ୍କ ଏହି ଜିଦ୍‌ ଯୋଗୁ ରଫିକୁଲ ଉତ୍ତ୍ୟକ୍ତ ଅବସ୍ଥାରେ ତାଙ୍କୁ ଦଣ୍ଡ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ହବାଙ୍କ ସ୍ବାମୀ ସରପ୍ରାଇଜ୍‌ ଦେବା ବାହାନାରେ ତାଙ୍କୁ ଆଖିରେ ପଟି ବାନ୍ଧିବାକୁ କହିଥିଲେ। ଏହାପରେ ତାଙ୍କ ହାତର ପାଞ୍ଚ ଆଙ୍ଗୁଳିକୁ କାଟି ଦେଇଥିଲେ। କେବଳ ଏତିକିରେ ତାଙ୍କ ନିଷ୍ଠୁରତା ସରି ନ ଥିଲା। ଆଙ୍ଗୁଳି ଗୁଡିକୁ ନେଇ ମଇଳା ଗଦାରେ ଫୋପାଡି ଦେଇଥିଲେ ଯେଭଳି ଏହାକୁ ଆଉ ଡାକ୍ତର ଯୋଡି ନ ପାରନ୍ତି। ଏହାପରେ ହବା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ରଫିକୁଲଙ୍କୁ ଗିରଫ କରିଛି। ଅପରପକ୍ଷରେ ଚିକିତ୍ସିତ ହେବା ପରେ ଏବେ ହବା ନିଜ ବାପଘରେ ଥିବା ଜଣାପଡ଼ିଛି।

Share