ପାଟରପଦା ସରପଞ୍ଚ ବହିଷ୍କୃତ

ପରଜଙ୍ଗ, ୨୧।୧(ଡି.ଏନ.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ବହିଷ୍କୃତ ହୋଇଛନ୍ତି ସରପଞ୍ଚ ଦୁଃଶାସନ ବିଶ୍ୱାଳ। ସରପଞ୍ଚଙ୍କ ବହିଷ୍କାର ସମ୍ପର୍କରେ ଫୋନ୍‌ ଯୋଗେ ଉଚ୍ଚ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚିତ କରାଯାଇଥିବା ବିଡିଓ ବସନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହାକୁ ନେଇ ସରପଞ୍ଚ ‘ଧରିତ୍ରୀ’କୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆବାସ ଯୋଜନାରେ ଅର୍ଥ କାରବାର ସମ୍ପର୍କରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ହେଲେ ଅଭିଯୋଗକାରୀ କୌଣସି ପ୍ରମାଣ ଦେଇପାରି ନ ଥିଲେ। ବିରୋଧୀ ଗୋଷ୍ଠୀଙ୍କ ପ୍ରରୋଚନାରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନରେ ଅର୍ଥ କାରବାର ହେଉଥିବା ଅକ୍ଟୋବରରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜନୀତି ଜୋର୍‌ ଧରିଥିଲା। ଲାଞ୍ଚ କାରବାର ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ପ୍ରଘଟ ହୋଇଥିଲା। ସରପଞ୍ଚ ଲାଞ୍ଚ ମାଗୁଥିବା ଏବଂ ପ୍ରତିବାଦ କଲେ ଧମକ ଦେଉଥିବା ନେଇ ହିତାଧିକାରୀ ଲବଙ୍ଗ ବେହେରା, ସୁଶାନ୍ତ ବିଶ୍ୱାଳ, ଅଞ୍ଜଳି ଦେହୁରୀ ବିଡିଓ ଏବଂ ପଞ୍ଚାୟତିରାଜ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହିପରି ଗ୍ରାମର ଟିଟୁ ଦେହୁରୀଙ୍କ ସ୍ତ୍ରୀ ଏବଂ ବାପାଙ୍କ ନାମରେ ପୃଥକ୍‌ ଭାବେ ଆବାସ ଗୃହ କାର୍ଯ୍ୟାଦେଶ ମଞ୍ଜୁର କରାଯାଇଥିଲା। ଏପରି ଏକାଧିକ ଅଭିଯୋଗକୁ ଭିତ୍ତିକରି ରାଜ୍ୟ ସରକାର ସରପଞ୍ଚ ଦୁଃଶାସନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।