Categories: ଜାତୀୟ

ପାଟନାରେ ଲାଗିଲା ବିହାର ମୁଖ୍ୟମନ୍ତ୍ରୀଙ୍କ ‘ନିଖୋଜ’ ପୋଷ୍ଟର

ପାଟନା,୧୭।୧୨: ବିହାରର ରାଜଧାନୀ ପାଟନାରେ ଏମିତି ଏକ ପୋଷ୍ଟର ଲାଗିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଉକ୍ତ ପୋଷ୍ଟରରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଫଟୋ ସହ ସେ ନିଖୋଜ ହୋଇ ଯାଇଥିବା ଉଲ୍ଲେଖ କରାଯାଇଛି। ପାଟନାର ବିଭିନ୍ନ ସ୍ଥାନରେ ଏମିତି ପୋଷ୍ଟର ଲଗାଯିବା ସହ ଏଥିରେ ମୁଖ୍ୟମନ୍ତ୍ରୀ ଅଦୃଶ୍ୟ, ପୁଣି ମୁଖ୍ୟମନ୍ତ୍ରୀ ନିଖୋଜ ବୋଲି ଲେଖାଯାଇଛି। ଏହି ପୋଷ୍ଟରରେ ଆହୁରି ମଧ୍ୟ ଲେଖା ଯାଇଛି, ‘ମୁକ, ବଧିର ଓ ଅନ୍ଧ ମୁଖ୍ୟମନ୍ତ୍ରୀ’ ତଳକୁ ଲେଖାଅଛି ନିଖୋଜ।


ଅନ୍ୟ ଏକ ପୋଷ୍ଟରରେ ନୀତୀଶଙ୍କ ଫଟୋ ସହ ଲେଖାଅଛି ଧ୍ୟାନ ଦେଇ ଦେଖନ୍ତୁ ଏହି ଚେହେରାକୁ। କିଛିଦିନ ହେବ ନା ଦେଖାଯାଉଛନ୍ତି ନା ଶୁଣା ଯାଉଛନ୍ତି। ଯିଏ ତାଙ୍କୁ ଖୋଜିଦେବ ବିହାର ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବ।


ସେମତି ଆଉ କିଛି ପୋଷ୍ଟରରେ ଦେଖିବାକୁ ମିଳିଛି ନୀତୀଶଙ୍କ ଫଟୋସହ ଲେଖାଅଛି ଅଦୃଶ୍ୟ ମୁଖ୍ୟମନ୍ତ୍ରୀ। କେବଳ ଶପଥ ଗ୍ରହଣ ଉତ୍ସବ ଦିନ ଏହାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏସବୁ ଲେଖିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକତ୍ୱ ସଂଶୋଧନ ବିଲ୍‌(ସିଏବି) ଓ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟରକୁ ନେଇ ନୀତୀଶ ଚୁପ୍‌ ରହିବା।

Share