ପାଟଣା ବ୍ଲକରୁ ୨ ନୂଆ କରୋନା ପଜିଟିଭ ଚିହ୍ନଟ

ପାଟଣା,୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତରୁ ମଙ୍ଗଳବାର ୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି। ଏମାନଙ୍କୁ ମିଶାଇ ବ୍ଲକରେ ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତ ଦ୍ୱୟଙ୍କ ବୟସ ଯଥାକ୍ରମେ ୨୧ ଓ ୨୨। ଉଭୟ ଚେମେଣାସ୍ଥିତ କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିଲେ। ସେମାନେ ଅହମ୍ମଦାବାଦର ଏକ ଷ୍ଟିଲ ବାସନ କାରଖାନାରେ କାମ କରୁଥିଲେ। ମେ ୧୯ ତାରିଖରେ ଉକ୍ତ ଯୁବକ ଦୁହେଁ ଟ୍ରେନରେ ଆସି ଭଦ୍ରକରେ ଓହ୍ଲାଇବା ପରେ ସେଠାରୁ ବସ୍‌ ଯୋଗେ ପାଟଣା ମୁଖ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କ ଫିଭର କ୍ଲିନିକ୍‌ରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଚେମେଣା ପଞ୍ଚାୟତସ୍ଥିତ କ୍ୱାରାଣ୍ଟାଇନ ଆଇନ କକ୍ଷରେ ରଖାଯାଇଥିଲା। ଦୁହିଁଙ୍କ ସ୍ବାବ୍‌ ଟେଷ୍ଟ ରିପୋର୍ଟ ସୋମବାର ପଜିଟଭ ବାହାରିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମଙ୍ଗଳବାର ସରକାରୀ ଭାବେ ଏହା ସ୍ପଷ୍ଟ କରାଯାଇଛି। ସୋମବାର ରାତିରେ ଉଭୟଙ୍କୁ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ସହ ଗୋଟିଏ କକ୍ଷରେ ରହୁଥିବା ଅନ୍ୟ ମାନଙ୍କ ସ୍ବାବ୍‌ ମଧ୍ୟ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି।