Categories: ନୟାଗଡ଼

ପାଚିକା ସୁକାନ୍ତି ମୃତ୍ୟୁ ଘଟଣା : ଜେଲ ଗଲେ ୩ ଅଭିଯୁକ୍ତ, ୪ ଫେରାର

ନୂଆଗାଁ,୧୨ା୧୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ବାସିନ୍ଦା ତଥା ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ଥିବା ସୁକାନ୍ତି ପରିଡାଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ ଶିଖରଗୋଛା ଗ୍ରାମର ବ୍ରଜବନ୍ଧୁ ବେହେରା, ମୁରଲୀ ବେହେରା ଓ ସୁମତି ଡାଙ୍ଗୁଆ। ପ୍ରକାଶ ଯେ, ସୁକାନ୍ତି ପରିଡା ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା। କିଛିବର୍ଷ ହେଲା ସେ ନିଜ ବାପଘରେ ରହି ସ୍କୁଲରେ ପାଚିକା ଭାବେ କାର୍ଯ୍ୟ କରିଆସୁଥିଲେ। ସେ ସେହି ଗ୍ରାମର ବ୍ରଜବନ୍ଧୁ ବେହେରାଙ୍କ ସହ ସମ୍ପର୍କ ରଖି ଧାରକରଜ କରି ଅନେକ ଟଙ୍କା ବ୍ରଜଙ୍କୁ ଦେଇଥିଲେ। ସୁକାନ୍ତି ଦେଇଥିବା ଟଙ୍କା ମାଗିବା ପାଇଁ ଗତ ୨୯ ତାରିଖ ରାତିରେ ବ୍ରଜଙ୍କ ଘରକୁ ଯାଇଥିଲେ। ଏହାର କିଛି ଘଣ୍ଟା ପରେ ସୁକାନ୍ତି ନିଜଘରେ ମୃତ ଅବସ୍ଥାରେ ରଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘଟଣାକୁ ଚପାଇଦେବା ପାଇଁ ଗ୍ରାମର କିଛି ଲୋକ ମିଶି ମୃତଦେହକୁ ରାତିରେ ନେଇ ପୋଡି ଦେଇଥିଲେ। ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ନୟାଗଡ଼ ଜିଲା ପାଚିକା ସଂଘ ତରଫରୁ ନୂଆଗାଁ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା (ନଂ.୧୦୩/୧୯) ରୁଜୁ ହୋଇଥିଲା। ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢୀ ଏହାର ତଦନ୍ତ ଭାର ନେଇଥିଲେ। ସୁକାନ୍ତି ମୃତ୍ୟୁରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୁରଲୀଧର ବେହେରା, ସୁମତି ଡାଙ୍ଗୁଆ, ବ୍ରଜବନ୍ଧୁ ବେହେରା ଓ ଅନ୍ୟ ୪ଜଣଙ୍କ ନାମରେ କେସ ରୁଜୁ ହୋଇଥିଲା। ରବିବାର ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୪ଜଣ ଫେରାର ଥିବା କହିଛନ୍ତି ନୂଆଗାଁ ଥାନା ଆଇଆଇସି ମନୋରମା ମଲ୍ଲିକ। ଘଟଣାକୁ ଚପାଇଦେବା ପାଇଁ ମୃତ ସୁକାନ୍ତିଙ୍କ ଭାଇ ବିରଞ୍ଚତ୍ ପରିଡାଙ୍କୁ ବ୍ରଜବନ୍ଧୁ ୧ ଲକ୍ଷ ୬୦ ହଜାର ଟଙ୍କା ଦେଇଥିବା ବେଳେ ପୋଲିସ ତାହାକୁ ଜବତ କରିଛି।