‘ପାକ୍‌ ସେନା ଏଲ୍‌ଓସି ମୁହାଁ’

ଲକ୍ଷ୍ନୌ, ୧୨ା୮(ଆଇଏଏନ୍‌ଏସ୍‌): ପାକିସ୍ତାନୀ ସେନା ଅସ୍ତ୍ରଶସ୍ତ୍ର ସହ ଶନିବାର ରାତିରୁ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅଭିମୁଖେ ଅଗ୍ରସର ହେଉଥିବା ଦେଖାଯାଇଛି। ପାକିସ୍ତାନର ଖବରଦାତା ହମିଦ୍‌ ମିର୍‌ ଏହି ସୂଚନା ଦେଇଛନ୍ତି। ସେନା ପ୍ରେରଣ ସମ୍ପର୍କରେ ସେ ପାକ୍‌ ଅଧିକୃତ କଶ୍ମୀରର କେତେଜଣ ଲୋକ ଓ ଆଜାଦ କଶ୍ମୀରରେ ଥିବା ତାଙ୍କର ବନ୍ଧୁଙ୍କଠାରୁ ଶୁଣିବାକୁ ପାଇଛନ୍ତି। ସୈନ୍ୟମାନଙ୍କୁ ସ୍ଥାନୀୟ ଲୋକେ ଅତି ଉତ୍ସାହରେ ସ୍ବାଗତ କରିବା ସହ ‘କଶ୍ମୀର ବନେଗା ପାକିସ୍ତାନ’ ସ୍ଲୋଗାନ ଦେଉଥିବା ସେ କହିଛନ୍ତି।
ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ପାକିସ୍ତାନ ବିରୋଧ କରିଆସୁଛି। ଭାରତ ବିରୋଧରେ ଅନ୍ତର୍ଜାତୀୟ ସମର୍ଥନ ପାଇବାକୁ ଉଦ୍ୟମ ପରି ଇସ୍‌ଲାମାବାଦ ବିଫଳ ହୋଇଥିବାବେଳେ ନୂଆଦିଲ୍ଲୀ ସହ କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଛି। ସେଠାରେ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନକୁ ନିଷିଦ୍ଧ କରାଯିବା ସହ ସମସ୍ତ ସାଂସ୍କୃତିକ ସମ୍ପର୍କ ଛିନ୍ନ କରିଛି।

Share