ପାକ୍‌ ସେନାମୁଖ୍ୟଙ୍କ ସଫେଇ: ଆତଙ୍କବାଦ ଦମନ ପାଇଁ ଉଦ୍ୟମ କରୁଛୁ

ଲଣ୍ଡନ,୨୪ା୬: ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଚେତାବନୀ ପରେ ଇସ୍‌ଲାମାବାଦ ନରମିଛି। ପାକ୍‌ ମାଟିରୁ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଯଥାସାଧ୍ୟ ଉଦ୍ୟମ କରାଯାଉଛି ଓ ସମସ୍ତ ତାକତକୁ ଲଗାଯାଇଛି ବୋଲି ଏହାର ସେନାମୁଖ୍ୟ ଜେନେରାଲ କମର ଜାଭେଦ୍‌ ବାଜଓ୍ବା ଦାବି କରିଛନ୍ତି। ଇସ୍‌ଲାମାବାଦ ଦୀର୍ଘମିଆଦୀ ଶାନ୍ତି ଓ ସ୍ଥିରତା ଲାଗି ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି। ଲଣ୍ଡନର ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌ (ଆଇଆଇଏସ୍‌ଏସ୍‌)ରେ ଉଦ୍‌ବୋଧନ ଦେଇ ପାକ୍‌ ସେନାମୁଖ୍ୟ କହିଛନ୍ତି, ଆତଙ୍କବାଦ ସମସ୍ତଙ୍କର ଶତ୍ରୁ ହୋଇଥିବାରୁ ଆମ ପଡୋଶୀଙ୍କ ସମେତ ସବୁ ଦେଶ ଏକାଠି ହୋଇ ଏହାର ମୂଳୋତ୍ପାଟନ ଦିଗରେ କାର୍ଯ୍ୟ କରିବା ଉଚିତ। ଆତଙ୍କବାଦ ଯୋଗୁ ପାକିସ୍ତାନ ଅତୀତରେ ଅନେକ ଭୋଗିଲାଣି, ଭବିଷ୍ୟତରେ ଆଉ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ଚାହେଁନି ବୋଲି ବାଜଓ୍ବା କହିଛନ୍ତି। ଲଶ୍କର-ଇ-ତୋଇବା, ଜୈଶ୍‌-ଇ-ମହମ୍ମଦ ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନକୁ ମିଳୁଥିବା ପାଣ୍ଠି ବନ୍ଦ କରିବାରେ ପାକ୍‌ ସରକାର ବିଫଳ ହୋଇଥିବାରୁ ଏହାକୁ ଧୂସର (ଗ୍ରେ) ତାଲିକାଭୁକ୍ତ କରିବା ଲାଗି ଏଫ୍‌ଏଟିଏଫ୍‌ ନିଷ୍ପତ୍ତି ନେଇଛି। ଆତଙ୍କବାଦ ବିରୋଧରେ ୨୭ ସୂତ୍ରୀ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବା ଲାଗି ପାକିସ୍ତାନକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟସୀମା ଦିଆଯାଇଛି।

Share