ପାକ୍‌ ଆକାଶରେ ଉଡ଼ିବନି ରାଷ୍ଟ୍ରପତିଙ୍କ ବିମାନ

ଇସ୍‌ଲାମାବାଦ, ୮।୯(ପି.ଟି.): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାରଠାରୁ ଆଇସ୍‌ଲାଣ୍ଡ, ସୁଇଜରଲାଣ୍ଡ ଓ ସ୍ଲୋଭେନିଆ ଗସ୍ତରେ ଯିବାକୁ ଥିବାବେଳେ ତାଙ୍କ ବିମାନ ପାକିସ୍ତାନ ଆକାଶରେ ଉଡ଼ିପାରିବ ନାହିଁ। ରାଷ୍ଟ୍ରପତିଙ୍କ ବିମାନ ପାଇଁ ବାୟୁସୀମା ବ୍ୟବହାର ଅନୁମତି ଦେବା ଲାଗି ଭାରତ କରିଥିବା ଅନୁରୋଧକୁ ଇସ୍‌ଲାମାବାଦ ପ୍ରତ୍ୟାଖ୍ୟାନ କରିଦେଇଛି।
ପୁଲଓ୍ବାମା ଆକ୍ରମଣ ସମେତ ଚଳିତବର୍ଷ ଭାରତ ସମ୍ମୁଖୀନ ହୋଇଥିବା ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ନୂଆଦିଲ୍ଲୀର ଉଦ୍‌ବେଗକୁ ରାଷ୍ଟ୍ରପତି ଉପରୋକ୍ତ ରାଷ୍ଟ୍ରର ଶୀର୍ଷ ନେତାମାନଙ୍କୁ ଜଣାଇବେ। ତେବେ କଶ୍ମୀରରେ ଉତ୍ତେଜନା ସ୍ଥିତି ଜାରି ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ବାୟୁସୀମା ବ୍ୟବହାର ଲାଗି ଅନୁମତି ନ ଦେବା ନିଷ୍ପତ୍ତିକୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଅନୁମୋଦନ କରିଥିବା ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃୟାରୀରେ ବାଲକୋଟର ଜେଇଏମ୍‌ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍‌ କରିବା ପରେ ପାକ୍‌ କର୍ତ୍ତୃପକ୍ଷ ଏହାର ବାୟୁସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଏହାର ମାସକ ପରେ ମାର୍ଚ୍ଚ ୨୭ରେ ବିମାନ ପାଇଁ ପାକିସ୍ତାନ ବାୟୁସୀମା ଆଂଶିକ ଖୋଲିଥିଲା। ଜୁଲାଇ ୧୬ରେ ସମସ୍ତ ବେସାମରିକ ବିମାନ ଚଳାଚଳ ପାଇଁ ପାକ୍‌ ଅନୁମତି ଦେଇଥିଲା। ତେବେ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହାର ପ୍ରତିବାଦରେ ପାକିସ୍ତାନ ଭାରତ ସହ ବାଣିଜ୍ୟ ଓ କୂଟନୈତିକ ସମ୍ପର୍କ ଛିନ୍ନ କରିବା ସହ ବସ୍‌ ଓ ଟ୍ରେନ୍‌ ସେବା ମଧ୍ୟ ବାତିଲ କରିଥିଲା।

Share