Categories: ଜାତୀୟ

ପାକିସ୍ତାନ ହିନ୍ଦୁ ଶରଣାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳିଲାନି

ଜୟପୁର,୨।୧: ରାଜସ୍ଥାନ ଶିକ୍ଷା ବୋର୍ଡ ପାକିସ୍ତାନର ଜଣେ ହିନ୍ଦୁ ଶରଣାର୍ଥୀ ଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦେଇନାହାନ୍ତି। ଦମୀ କୋହଲିଙ୍କୁ ନାମ୍ନୀ ଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେବା ପାଇଁ ରାଜସ୍ଥାନ ବୋର୍ଡର ଫର୍ମ ପୂରଣ କରିଥିଲେ। ପରୀକ୍ଷା ନିୟମ ମୁତାବକ ଆବଶ୍ୟକ କାଗଜପତ୍ର ଦମୀ ଦାଖଲ କରି ନ ଥିବାରୁ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି, ଦମୀ ପାକିସ୍ତାନ ବୋର୍ଡ ଅଧୀନରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ। ପାକିସ୍ତାନ ଦୂତାବାସକୁ ସେଠିକାର ୧୦ମ ସିଲାବସ ମଗାଯାଇଛି। ରାଜସ୍ଥାନ ଶିକ୍ଷା ବୋର୍ଡ ସିଲାବସ ସହ ଯଦି ପାକିସ୍ତାନ ବୋର୍ଡ ସିଲାବସ୍‌ ମିଶେ, ତେବେ କୋହଲିଙ୍କୁ ପରୀକ୍ଷା ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଦମୀ କୋହଲି କିଛି ବର୍ଷ ପୂର୍ବେ ପାକିସ୍ତାନର ସିନ୍ଧ ପ୍ରାନ୍ତରୁ ଭାରତ ପଳାଇ ଆସିଥିଲେ। ସେଠାରେ ତାଙ୍କ ପରିବାର ଧାର୍ମିକ ପ୍ରତାଡନାର ଶିକାର ହେବା ପରେ ବାଧ୍ୟ ହୋଇ ପାକିସ୍ତାନ ଛାଡ଼ି ଭାରତ ପଳାଇ ଆସିଥିଲେ। ଦମୀ କୋହଲି ନିଜ ପରିବାର ସହ ଯୋଧପୁର ଆଙ୍ଗନୱା ଶରଣାର୍ଥୀ କ୍ୟାମ୍ପରେ ରହୁଛନ୍ତି।

Share