ପାକିସ୍ତାନ ସଂସଦରେ ହଙ୍ଗାମା: ‘ଗୋ ନିୟାଜି ଗୋ’ ସ୍ଲୋଗାନ ଦେଲେ ବିରୋଧୀ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ସଂସଦରେ ଗୁରୁବାର ଆୟୋଜିତ  ଯୁଗ୍ମ ଅଧିବେଶନରେ ହଙ୍ଗାମା ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାର୍ଯ୍ୟକାଳ ୧ବର୍ଷ ପୂର୍ତ୍ତି ଅବସରରେ ଏହି ଅଧିବେଶନ ଡକାଯାଇଥିଲା। ଅଧିବେଶନ ଆରମ୍ଭ ହେବା ମାତ୍ରେ ରାଷ୍ଟ୍ରପତି ଆରିଫ ଆଲଓ୍ବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଂଶସା କରିଥିଲେ। ସେହି ସମୟରେ ବିରୋଧି ଦଳର ନେତାମାନେ ସଂସଦରେ ଇମ୍ରାନଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ। ‘ଗୋ ନିୟାଜି ଗୋ’ କହି ସ୍ଲୋଗାନ ଦେବା ପରେ ଇମ୍ରାନ ଖାଁଙ୍କ ଦଳ ତେହରିକ-ଇ-ଇନ୍‌ଶାଫ ଓ ପାକିସ୍ତାନ ପିପୁଲ୍ସ ଦଳ ମୁହାଁମୁହଁି ହୋଇଥିଲେ। ପରସ୍ପର ମଧ୍ୟରେ ମାଡ଼ପିଟ ହୋଇଥିଲା। ସୂଚନାଯୋଗ୍ୟ, ଇମ୍ରାନଙ୍କ ପୁରା ନାମ ଇମ୍ରାନ ଅହମ୍ମଦ ଖାଁ ନିୟାଜୀ ହୋଇଥିବା ବେଳେ ବିରୋଧୀ କେବଳ ନିୟାଜୀ ନଁାକୁ ବ୍ୟବହାର କରି ତାଙ୍କ ଉପରେ ବର୍ଷିଥିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ବିଦେଶ ନୀତି ଉପରେ ପ୍ରଶ୍ନ ଉଠାଇ ସବୁ ମଞ୍ଚରେ ତାଙ୍କୁ ମିଳୁଥିବା ବିଫଳତା ଯୋଗୁ ବିରୋଧୀ ଭର୍ତ୍ସନା କରିଥିଲେ। ଏହି ସମୟରେ ଜଣେ ମହିଳା ଏମ୍‌ପିଙ୍କୁ ମଧ୍ୟ ଠେଲାପେଲା କରାଯାଇଥିବା ନେଇ ଜଣାପଡ଼ିଛି। ଏହି ଘଟଣା ଘଟିବା ସମୟରେ ସଂସଦରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ନୌସେନା, ବାୟୁସେନା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହାର ଏକ ଭିଡିଓକୁ ପାକିସ୍ତାନର ବରିଷ୍ଠ ମହିଳା ଖବରଦାତା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

Share