Categories: ଖେଳ

ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ମା’ଙ୍କୁ ଫୋନରେ ଏମିତି କହିଥିଲେ ଯଶସ୍ବୀ

ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦ ଉଇକେଟରେ ହରାଇ ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲ ପ୍ରବେଶ କରିଛି ଭାରତ। ଜବରଦସ୍ତ ଫର୍ମରେ ଥିବା ୧୮ ବର୍ଷୀୟ ଯଶସ୍ବୀ ନିଜର ପ୍ରଥମ ବିଶ୍ୱକପ୍‌ ଶତକ ମାରିଛନ୍ତି। ସେମିଫାଇନାଲରେ ସେ ୧୧୩ ବଲରେ ୮ ଚୌକା ଓ ୪ ଛକା ସହ ୧୦୫ ରନ୍‌ କରିଛନ୍ତି। ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯଶସ୍ବୀଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ସେ ଭାରତୀୟ କ୍ରିକେଟର ଆଗାମୀ ଷ୍ଟାର୍‌ ବୋଲି କ୍ରିକେଟ ପଣ୍ଡିତମାନେ କହିଛନ୍ତି। ଜୀବନରେ ଅନେକ ସଂଘର୍ଷ ସହି କ୍ରିକେଟରେ କ୍ୟାରିୟର ଗଢିଥିବା ଯଶସ୍ବୀ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ମା’ କାଞ୍ଚନ ଯଶଓ୍ବାଲଙ୍କୁ ଫୋନ କରିଥିଲେ। ଆଜିର ମ୍ୟାଚ୍‌ରେ ଭଲ ପଦର୍ଶନ କରିବାକୁ ଚାହୁଁଛି। ଦଳକୁ ଫାଇନାଲରେ ପହଞ୍ଚାଇ ଚାମ୍ପିୟନ କରାଇବା ମୋର ଏକମାତ୍ର ଲକ୍ଷ ବୋଲି ସେ କହିଥିଲେ ବୋଲି ତାଙ୍କ ମା’ କହିଛନ୍ତି। ସୂଚନାଯୋଗ୍ୟ, ଯଶସ୍ବୀ ଖୁବ କମ ବୟସରୁ କ୍ରିକେଟ ଖେଳିବାର ସ୍ବପ୍ନ ନେଇ ଘର ଛାଡି ଉତ୍ତର ପ୍ରଦେଶରୁ ମୁମ୍ବାଇ ଚାଲିଆସିଥିଲେ। ଏଠାରେ ଦାଦାଙ୍କ ଭଡା ଘରେ ରହି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ମାସକୁ ମାସ ତାଙ୍କ ବାପା କିଛି ଟଙ୍କା ପଠାନ୍ତି। କିନ୍ତୁ ସେଥିରେ ଟ୍ରେନିଂ ନେବା ସମ୍ଭବ ନ ଥିଲା। ଆଜାଦ ମୈଦାନରେ ରାମଲୀଳା ଚାଲିଥିବାବେଳେ ସେଠାରେ ଗୁପଚୁପ ବିକ୍ରି କରୁଥିଲେ ଯଶସ୍ବୀ। ଏଥିରେ ଯାହା କିଛି ଲାଭ ମିଳୁଥିଲା ସେଥିରେ କ୍ରିକେଟ ଟ୍ରେନିଂ ନେବା ଆରମ୍ଭ କଲେ। ସେଠାରେ କୋଚ ଜ୍ୱାଲା ସିଂଙ୍କ ସହ ଭେଟ ହୋଇଥିଲା। ଏହାପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଥିଲା। କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଚାଲିଲେ। ଯଶସ୍ବୀଙ୍କର ଭାରତୀୟ ଅଣ୍ଡର-୧୯ ଦଳ ପାଇଁ ଚୟନ ହୋଇଥିଲା।

Share