ପାକିସ୍ତାନରେ ୫୦୦ ଏଚ୍‌ଆଇଭି ସଂକ୍ରମିତ

ରାତୋଦରୋ,୧୮।୫: ଦକ୍ଷିଣ ପାକିସ୍ତାନର ଅବହେଳିତ ଜିଲା ଲାର୍‌କାନାର ବିଭିନ୍ନ ଗଁାରେ ପାଖାପାଖି ୫ଶହ ଜଣ ଏଚ୍‌ଆଇଭିର ଶିକାର ହୋଇଛନ୍ତି। ତନ୍ମଧ୍ୟରେ ୪ଶହ ପିଲା ସଂକ୍ରମିତ। ଜନୈକ ଡାକ୍ତରଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ତେବେ ଡାକ୍ତର ଜଣକ ଏକ ସଂକ୍ରମିତ ସିରିଞ୍ଜ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅଧିକାଂଶ ପିଲା ଏଚ୍‌ଆଇଭି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଉଛି। ପିଲାମାନଙ୍କ ରକ୍ତ ପରୀକ୍ଷା ଜାରି ରହିଥିବାବେଳେ ଅଭିଭାବକମାନେ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଏ ପର୍ଯ୍ୟନ୍ତ ଏଚ୍‌ଆଇଭିରେ ପ୍ରାୟ ୫ଶହ ଲୋକ ଆକ୍ରାନ୍ତ ହୋଇ ସାରିଲେଣି।
ବିଭାଗୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ପାଇଁ ସ୍ଥାନୀୟ ଚିକିତ୍ସକ ମୁଜାଫର ଘନଘାରୋଙ୍କୁ ଗିରଫ କରାଯାଇଛି। ଉକ୍ତ ଡାକ୍ତର ଜାଣିଶୁଣି ଅନ୍ୟମାନଙ୍କୁ ସଂକ୍ରମିତ କରିଥିଲେ କି ନା ପୋଲିସ ଏହାର ତଦନ୍ତ କରୁଛି। ଲାର୍‌କାନା ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ନିଜ ଜିଲା।

Share