ପାକିସ୍ତାନରେ ପହଞ୍ଚିଲା କରୋନାଭାଇରସ: ଜଣେ ସନ୍ଦିଗ୍ଧ

ଅବୋଟାବାଦ,୧୫।୨: ଚାଇନାରୁ ଆରମ୍ଭ ହୋଇଥିବା କରୋନାଭାଇରସ ସଂକ୍ରମଣ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ପାକିସ୍ତାନରେ ପ୍ରଥମ କରି ଜଣେ ବ୍ୟକ୍ତି କରୋନାଭାଇରସରେ ପୀଡିତ ବୋଲି ସନ୍ଦେହ କରାଯାଇଛି। ନିକଟରେ ଉକ୍ତ ବ୍ୟକ୍ତି ଜଣଙ୍କ ଚାଇନାରୁ ଫେରିଥିବା ବେଳେ ସେ କରୋନାଭାଇରସରେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପାକ୍‌ ଅଧିକୃତ କଶ୍ମୀରର ଗିଲଗିଟ-ପାଲଟିସ୍ତାନର ଏହି ବ୍ୟକ୍ତି ଜଣଙ୍କୁ ଏବେ ଅବୋଟାବାଦର ଆୟୁବ ମେଡିକାଲ ହସ୍ପିଟାଲ(ଏଏମ୍‌ଏଚ୍‌)ରେ ଅବଜରଭେଶନରେ ରଖାଯାଇଛି। ସୂଚନାଯୋଗ୍ୟ, ଚାଇନାରେ ଗତବର୍ଷ ଡିସେମ୍ବରରେ ପ୍ରଥମଥର କରୋନାଭାଇରସ ଦେଖା ଦେଇଥିବା ବେଳେ ଏବେ ସେଠାରେ କରୋନାଭାଇରସ ସଂକ୍ରମଣରେ ପ୍ରାୟ ୧,୫୨୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାସହ ୬୬ ହଜାରରୁ ଊର୍ଦ୍ଧ୍ୱ ଲୋକ ଏବେ ଏଥିରେ ଆକ୍ରାନ୍ତ ଥିବା ଖବର ମିଳିଛି। ଅନ୍ୟପଟେ ଏହା ଚାଇନାରେ ଦ୍ରୁତ ଗତିରେ ବ୍ୟାପୁଥିବା ଦେଖି ଭାରତ ସମେତ ବିଭିନ୍ନ ଦେଶ ଚାଇନାରେ ଥିବା ସେମାନଙ୍କ ନାଗରିକଙ୍କୁ ସ୍ବଦେଶ ଫେରାଇ ନେଇଥିବା ବେଳେ, ସଂକ୍ରମଣ ଭୟରେ ପାକିସ୍ତାନ କିନ୍ତୁ ତା’ର ନାଗରିକଙ୍କୁ ଫେରାଇ ଆଣିବାକୁ ସଫା ସଫା ମନା କରିଦେଇଥିଲା। ଆଉ ଏବେ ଜଣେ ବ୍ୟକ୍ତି କରୋନାଭଇରସରେ ପୀଡିତ ଥିବା ସନ୍ଦେହ ହେବା ପରେ ପାକିସ୍ତାନ ସରକାର ଚିନ୍ତାରେ ପଡିଯାଇଥିବା ଅନୁମାନ କରାଯାଉଛି।

Share