ପାକିସ୍ତାନରେ ନୀରବ ବିଦ୍ରୋହ:ଅର୍ଥନୀତି ସୁଧାରିବାକୁ ଅଣ୍ଟା ଭିଡ଼ିଲେ ସେନାମୁଖ୍ୟ

ଇସ୍‌ଲାମାବାଦ,୪-୧୦(ପି.ଟି.):ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆରମ୍ଭ ହୋଇଛି ନୀରବ ବିଦ୍ରୋହ। ସ୍ଥଳସେନା ମୁଖ୍ୟ ଜେନେରାଲ କମର ଜାଭେଦ୍‌ ବାଜ୍‌ଓ୍ବା ନିଜ ସୀମା ବାହାରକୁ ଯାଇ ଦେଶର ଅର୍ଥନୀତିକୁ ନେଇ ସମୀକ୍ଷା କରିଛନ୍ତି। ଏହି ଅବସରରେ ଭୁଶୁଡ଼ିପଡ଼ିଥିବା ଅର୍ଥନୀତି ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ଦାୟୀ କରାଯାଇଛି। ପାକିସ୍ତାନରେ ନିର୍ବାଚିତ ସରକାର ନୁହେଁ, ବରଂ ସେନା ହିଁ ସର୍ବଶକ୍ତିମାନ ବୋଲି ଏଥିରୁ ପୁଣିଥରେ ସ୍ପଷ୍ଟ ହୋଇଛି।
ପାକିସ୍ତାନରେ ଯେଉଁ ଦଳ ବା ନେତା କ୍ଷମତାରେ ରହିଲେ ଦେଶର ରାଜନୀତି ଓ ବହିର୍ବ୍ୟାପାର ସମ୍ପର୍କରେ ସେନା ପ୍ରମୁଖ ଭୂମିକା ନେଇଆସିଛି। ଆର୍ଥତ୍କ ସଙ୍କଟ ଦେଇ ଗତି କରୁଥିବା ଦକ୍ଷିଣ ଏସିଆର ଏହି ଦେଶରେ ପିଟିଆଇ ନେତା ଇମ୍ରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାର ବର୍ଷକ ପରେ ସମସ୍ୟା ଜଟିଳ ହେବାରେ ଲାଗିଛି। ଏଥିଲାଗି ସେନାମୁଖ୍ୟ ବାଜ୍‌ଓ୍ବା ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବୁଧବାର ରାତିରେ ଏକ ନୈଶଭୋଜିର ଆୟୋଜନ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକିସ୍ତାନର ୧୬ରୁ ୨୦ ବ୍ୟବସାୟୀଙ୍କୁ ନେଇ ଗଠିତ ପ୍ରତିନିଧି ଦଳ ଯୋଗଦେଇଥିଲେ। ଅର୍ଥନୀତିକୁ ସୁଧାରିବା ପାଇଁ ଇମ୍ରାନ୍‌ ସରକାରଙ୍କ ନିଷ୍କ୍ରିୟତା ନେଇ ଆଲୋଚନା କରିଥିଲେ। ସରକାର କେବଳ ପ୍ରତିଶ୍ରୁତି ଦେବା ଛଡ଼ା କିଛି କରୁନାହାନ୍ତି। ଏଥିଯୋଗୁ ସେମାନଙ୍କ ବ୍ୟବସାୟ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ସବୁ ଉଦ୍ୟୋଗ ବନ୍ଦ ହୋଇଯିବ। ଫଳରେ ବହୁସଂଖ୍ୟକ କର୍ମଚାରୀ ବେକାର ହୋଇଯିବେ ବୋଲି ସେମାନେ ବାଜ୍‌ଓ୍ବାଙ୍କ ଆଗରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନଙ୍କ ଗୁହାରି ଶୁଣିବା ପରେ ସେନାମୁଖ୍ୟ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତିରେ ସୁଧାର ଆସିଥିବାରୁ ଅର୍ଥନୀତି ସୁଧାରିବା ପାଇଁ ସୁଯୋଗ ମିଳିଛି। ସେନା ଅଧିକାରୀମାନଙ୍କୁ ନେଇ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇ ଯଥାଶୀଘ୍ର ସମ୍ଭବ ବାଣିଜି୍ୟକ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଜେନେରାଲ ବାଜ୍‌ଓ୍ବାଙ୍କୁ ଗତ ଜୁଲାଇରେ ଉଚ୍ଚ କ୍ଷମତାସମ୍ପନ୍ନ ଜାତୀୟ ବିକାଶ ପରିଷଦର ସଦସ୍ୟ ନିଯୁକ୍ତ କରାଯାଇଥିଲା। ସେବେଠୁ ଅଦ୍ୟାବଧି ୩ ଥର ଗୁପ୍ତ ବୈଠକ କରାଚୀ ଓ ସେନା ମୁଖ୍ୟାଳୟ ଥିବା ରାଓ୍ବଲପିଣ୍ଡିରେ ହୋଇସାରିଲାଣି। ଏନେଇ ଗୁରୁବାର ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share