ପାକିସ୍ତାନରେ ଆର୍ଥିକ ସଙ୍କଟ: ରୋଷେଇ ଗ୍ୟାସ୍‌ ଦର ୨୦୦ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା

ଇସଲାମାବାଦ, ୨୬।୬: ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି ପାକିସ୍ତାନର ଅର୍ଥ ବ୍ୟବସ୍ଥା। ପୂର୍ବ ଋଣ ପାକିସ୍ତାନ ସରକାର ପରିଶୋଧ ନ କରିପାରିବା ଫଳରେ ଏବେ ପରିସ୍ଥିତି ଆହୁରି ଭୟଙ୍କର ହୋଇପଡିଛି। ବର୍ତ୍ତମାନ ଦେଶର ରାଜକୋଷ ଦେବାଳିଆ ଥିବା କାରଣରୁ ଇମ୍ରାନ ଖାନ ସରକାର ଦେଶର ଜନସାଧାରଣଙ୍କ ମୁଣ୍ଡରେ ଏହି ଅର୍ଥନୈତିକ ସଙ୍କଟକୁ ଲଦି ଦେବା ପାଇଁ ଚାହଁୁଛନ୍ତି। ଫଳସ୍ବରୂପ ଆଗାମୀ ଜୁଲାଇ ମାସରେ ରୋଷେଇ ଗ୍ୟାସ୍‌ ଦର ୨୦୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଜଣାପଡିଛି। ଗତ ବଜେଟରେ ବିଭିନ୍ନ ସାମଗ୍ରୀ ଉପରେ ନୂଆ ଟ୍ୟାକ୍ସ ଯୋଡ଼ିଛନ୍ତି ପାକିସ୍ତାନ ସରକାର। ଯାହାଦ୍ୱାରା ପାକିସ୍ତାନ ଜନସାଧାରଣ ମୁଣ୍ଡରେ ଚଡକ ପଡ଼ିବାକୁ ଯାଉଛି। ଏହି ଟ୍ୟାକ୍ସ ପରିମାଣ ବୃଦ୍ଧି ପାଇବା ଦ୍ୱାରା ଆଗାମୀ ସମୟରେ ପାକିସ୍ତାନ ପାଇଁ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିବ ବୋଲି ଅର୍ଥନୈତିକ ବିଶାରଦ ମାନେ ଏବେଠାରୁ ଆକଳନ କରିସାରିଲେଣି। ୨୧ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ୨୦ ଲକ୍ଷ ଲୋକ ଟାକ୍ସ ଭରୁଥିବାରୁ ଦେଶରେ ରାଜସ୍ବ ଅନେକ ପରିମାଣରେ କମିଯାଉଥିବା ଇମ୍ରାନ ସରକାର ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏହି ଟ୍ୟାକ୍ସ ବୃଦ୍ଧି ଦ୍ୱାରା ପାକିସ୍ତାନରେ ଚା’ ଏବଂ ଚିନିଠାରୁ ଆରମ୍ଭ କରି ଥଣ୍ଡା ପାନୀୟ ପର୍ଯ୍ୟନ୍ତ ସବୁ ସାମଗ୍ରୀର ଦର ବୃଦ୍ଧି ପାଇବ।

Share