Categories: ବାଣିଜ୍ୟ

ପାକିସ୍ତାନରୁ ଆମଦାନୀ ୯୨% ହ୍ରାସ

ନୂଆଦିଲ୍ଲୀ,୧୦-୬: ଚଳିତବର୍ଷ ମାର୍ଚ୍ଚ ମାସରେ ଦେଶ ମଧ୍ୟକୁ ପାକିସ୍ତାନରୁ ଆମଦାନୀ ୯୨% ହ୍ରାସ ଘଟି ୨.୮୪ ନିୟୁତ ରହିଛି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନରୁ ଆସୁଥିବା ସାମଗ୍ରୀ ଉପରେ ୨୦୦% ଟିକସ ଲାଗୁ କରିଥିଲା। ଏହା ପରେ ସେଠାରୁ ଭାରତକୁ ହେଉଥିବା ସାମଗ୍ରୀ ରପ୍ତାନି ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଭାରତ ଫେବୃୟାରୀ ୧୬ରେ ଏଭଳି କଠୋର ପଦକ୍ଷେପ ନେଇଥିଲା। ପାକିସ୍ତାନରୁ ଆସୁଥିବା କପା, ପନିପରିବା, ସିମେଣ୍ଟ, ପେଟ୍ରୋଲିୟମ ସାମଗ୍ରୀ ଏବଂ ଖଣିଜ ସମେତ ଅନ୍ୟ ସମସ୍ତ ସାମଗ୍ରୀ ଉପରେ ସରକାର ଆମଦାନୀ ଟିକସକୁ ବଢାଇବା ଲାଗି ନିଷ୍ପତ୍ତି ନେଇଥିଲେ। ବାଣିଜ୍ୟ ମନ୍ତ୍ରଣାଳୟ ତଥ୍ୟ ମୁତାବକ ଭାରତ ପାକିସ୍ତାନଠାରୁ ୨୦୧୮ ମାର୍ଚ୍ଚରେ ୩୪.୬୧ ନିୟୁତ ଡଲାରର ସାମଗ୍ରୀ ଆମଦାନୀ କରିଥିଲା।
ଚଳିତ ବର୍ଷ ମାର୍ଚ୍ଚରେ ପାକିସ୍ତାନରୁ ଆସିଥିବା ମୋଟ ୨.୮୪ ନିୟୁତ ଡଲାର ସାମଗ୍ରୀ ମଧ୍ୟରୁ କପାର ଅଂଶ ୧.୧୯ ନିୟୁତ ଡଲାର ରହିଛି। ଭାରତ ଏହି ସମୟ ମଧ୍ୟରେ ପାକିସ୍ତାନରୁ ପ୍ଲାଷ୍ଟିକ, କପଡା, ପାପାରେଲ ସାମଗ୍ରୀ, କେମିକାଲ, ଓଲ୍‌ ଏବଂ ପାରମ୍ପରିକ ଫିଲାମେଣ୍ଟ ଭଳି ପ୍ରଡକ୍ଟ ଏବଂ ସାମଗ୍ରୀ ମଗାଇଛି। ୨୦୧୮-୧୯ ଜାନୁୟାରୀ-ମାର୍ଚ୍ଚ ସମୟ ମଧ୍ୟରେ ପାକିସ୍ତାନରୁ ଆମଦାନୀ ୪୭% ହ୍ରାସ ହୋଇ ୫୩.୬୫ ନିୟୁତ ଡଲାର ରହିଛି। ସେହିଭଳି ପାକିସ୍ତାନକୁ ଭାରତର ରପ୍ତାନି ୩୨% କମିବା ଫଳରେ ଏହା ୧୭୧.୩୪ ନିୟୁତ ଡଲାର ରହିଛି। ୨୦୧୮-୧୯ରେ ପାକିସ୍ତାନକୁ ମୋଟ ରପ୍ତାନି ୭.୪% ବଢି ୨ ବିଲିୟନ ଡଲାର ଛୁଇଁଛି।

Share