ପାଉଣା ପାଇ ନ ଥିବାରୁ ସେବାୟତ କ୍ଷୁବ୍ଧ:ଶ୍ରୀଜୀଉଙ୍କ ନୀତିକାନ୍ତି ୨ ଘଣ୍ଟା ବିଳମ୍ବ

ପୁରୀ ଅଫିସ,୨୦-୯ :ସେବାୟତଙ୍କ ପ୍ରାପ୍ୟ ପାଉଣାକୁ ନେଇ ଗୁରୁବାର ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଛି। ଜଣେ ସେବାୟତଙ୍କୁ ୩ମାସର ପାଉଣା ମିଳି ନ ଥିବାରୁ ସେ କ୍ଷୁବ୍ଧ ହୋଇ ସେବା କରି ନ ଥିଲେ। ଫଳରେ ଗୋପାଳବଲ୍ଲଭ ନୀତିରେ ପ୍ରାୟ ୨ଘଣ୍ଟା ବିଳମ୍ବ ଘଟିଥିଲା। ତାଙ୍କୁ ବୁଝାଶୁଝା କରାଯିବା ପରେ ନୀତି ସ୍ବାଭାବିକ ହୋଇଥିଲା। ଭୋଗ ପୂର୍ବରୁ ପାଣି ପକାଇବା ହେଉଛି ସୁଆର ବଡୁ ସେବାୟତ ରାଜାରାମ ମେକାପଙ୍କ ପ୍ରମୁଖ ସେବା। ସେ ପାଣି ନ ପକାଇବା ପର୍ଯ୍ୟନ୍ତ ଭୋଗ ବଢା ହୋଇ ନ ଥାଏ। ଗୁରୁବାର ସକାଳେ ବଲ୍ଲଭ ଭୋଗ ପୂର୍ବରୁ ସେ ପାଣି ପକାଇ ନ ଥିଲେ। ଫଳରେ ବଲ୍ଲଭ ନୀତିରେ ବିଳମ୍ବ ହୋଇଥିଲା। ଅନ୍ୟ ସେବାୟତମାନେ ତାଙ୍କୁ ବୁଝାଶୁଝା କରିବା ଭିତରେ ପ୍ରାୟ ୨ଘଣ୍ଟା ନୀତି ବିଳମ୍ବ ହୋଇଯାଇଥିଲା। ଏ ସମ୍ପର୍କରେ ରାଜାରାମ କହିଛନ୍ତି, ବାରମ୍ବାର ପାଉଣା ସମ୍ପର୍କରେ ପ୍ରଶାସନକୁ ଜଣାଇବା ସତ୍ତ୍ୱେ ନିରାଶ ହେବାକୁ ପଡ଼ିଛି। ପାଉଣା ନ ପାଇବା ଯୋଗୁ ଧାର କରଜରେ ବୁଡ଼ି ରହିଛି। ପ୍ରଶାସନ ଏ ଦିଗରେ ବିଚାର ନ କଲେ ୧୯ ତାରିଖରେ ସେବା କରିବି ନାହିଁ ବୋଲି ଆଗରୁ ଅଭିଯୋଗ ପତ୍ରରେ ଜଣାଇଥିଲି। ଏହାସତ୍ତ୍ୱେ ପ୍ରଶାସନ ଚୁପ୍‌ ବସିଲା। ଅନ୍ୟପକ୍ଷରେ ନୀତିରେ ବିଳମ୍ବ ହେଲେ ପ୍ରଶାସନ ସେବାୟତଙ୍କ ପ୍ରାପ୍ୟ ପାଉଣା କାଟୁଛି। କିନ୍ତୁ ୩/୪ ମାସ ଧରି ପ୍ରାପ୍ୟ ପାଉଣା ନ ଦେବା ପ୍ରସଙ୍ଗ ସେବାୟତଙ୍କ ମଧ୍ୟରେ ଏବେ ଅସନ୍ତୋଷ ସୃଷ୍ଟି କରିଛି।