ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି: ଝାରସୁଗୁଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଝାରସୁଗୁଡା ଅଫିସ,୫।୨- ଦୀର୍ଘ ଦିନ ହେବ ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ହୋଇ ଆସୁଛି। ଏହି ଦାବି ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଝାରସୁଗୁଡାରେ ମଧ୍ୟ ଏହି ବନ୍ଦ ପାଳନ କରାଯାଉଛି। ସ୍ଥାନୀୟ ଓକିଲ ସଂଘର ଏହି ଡାକରାକୁ ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ଅଣରାଜନୈତିକ ସଂଗଠନ ମଧ୍ୟ ସମର୍ଥନ କରି ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ସକାଳୁ ବନ୍ଦ ପାଳନକାରୀମାନେ ପିକେଟିଂ କରି ବସ ଓ ବିଭିନ୍ନ ଛକ ଅଟକାଇବା ସହ ସହରର ଷ୍ଟେସନ ଛକ, ବସଷ୍ଟାଣ୍ଡ ଛକ, ବଡମାଲ ଛକ, ବିଟିଏମ ଛକ, ଜିଲାପାଳ ଅଫିସ ଛକ ରାସ୍ତା ଅବରୋଧ କରି ରଖିଛନ୍ତି। ଫଳରେ ଦୁଇ ଚକିଆ ଯାନ ଗୁଡିକୁ ଛାଡିଦେଲେ ଅନ୍ୟ ଗାଡି ଗୁଡିକ ବନ୍ଦ ରହିଛି। ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।