Categories: ଜାତୀୟ

ପଶ୍ଚିମବଙ୍ଗ ହିଂସା: ମୋଦିଙ୍କୁ ରିପୋର୍ଟ ଦେବେ ରାଜ୍ୟପାଳ

କୋଲକାତା, ୯।୬: ପଶ୍ଚିମବଙ୍ଗରେ ଚାଲିଥିବା ରାଜନୈତିକ ହିଂସା ଥମିବାର ନାଁ ନେଉନି। ରାଜ୍ୟରେ ପ୍ରତିଦିନ ତୃଣମୂଳ କଂଗ୍ରେସ(ଟିଏମସି) ଏବଂ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କେଉଁଠି ନା କେଉଁଠି ଗଣ୍ଡଗୋଳ ଲାଗିବାର ଖବର ଆସୁଛି। ଗଣ୍ଡଗୋଳରେ ଉଭୟ ଭାଜପା ଏବଂ ଟିଏମସିର ବହୁ କାର୍ଯ୍ୟକର୍ତ୍ତାଙ୍କୁ ପ୍ରାଣ ମଧ୍ୟ ଗଲାଣି। ଏଭଳି ପରିସ୍ଥିତିରେ ବସିରହାଟ ନିର୍ବାଚନମଣ୍ଡଳୀର ଧନୀପରା ଗାଁରେ ସଂଘଟିତ ହିଂସାକାଣ୍ଡ ବାବଦରେ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ତଲବ କରିଛି ଗୃହ ମନ୍ତ୍ରଣାଳୟ। ଏହି ଘଟଣାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପକୁ ନେଇ ଟିଏମସି ପକ୍ଷରୁ କୁହାଯାଇଛି ଯେ, ଏହା ପଶ୍ଚିମବଙ୍ଗ ସରକାରଙ୍କର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା। ଆଇନ ଶୃଙ୍ଖଳା ରାଜ୍ୟସ୍ତରୀୟ ପ୍ରସଙ୍ଗ। ଭାଜପା ଜିତିବା ପାଇଁ ହିଂସାକାଣ୍ଡ ଘଟାଉଛି ବୋଲି ଟିଏମସି କହିଛି। ସୂଚନାଯୋଗ୍ୟ, ବସିରହାଟ ଘଟଣାରେ ଜଣେ ଟିଏମସି କର୍ମୀ ଏବଂ ୨ ଜଣ ଭାଜପା କର୍ମୀଙ୍କର ହତ୍ୟା ହୋଇଥିଲା। ଏହି ହତ୍ୟାକାଣ୍ଡରେ ଟିଏମସିର ହାତ ରହିଛି ବୋଲି ଭାଜପା ଦାବି କରିଆସୁଛି।

Share