Categories: ଜାତୀୟ

ପଶ୍ଚିମବଙ୍ଗ ରାଜନୈତିକ ହିଂସା: ୪୨ ବର୍ଷରେ ନେଲାଣି ୨୮ ହଜାରରୁ ଅଧିକ ଜୀବନ

କୋଲକାତା,୧୫।୫: ପଶ୍ଚିମବଙ୍ଗରେ ୧୯୭୭ଠାରୁ ବର୍ତ୍ତମାନ ସୁଦ୍ଧା ଘଟିଥିବା ରାଜନୈତିକ ହିଂସା ୨୮ ହଜାରରୁ ଅଧିକ ଜୀବନ ନେଇଛି। ୨୦୧୬ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮ ହଜାର ଶହେ ୯୫ରେ ପହଞ୍ଚଥିଲା। ପୂର୍ବରୁ ଏଠାରେ ବାମଦଳ ଏବଂ ତୃଣମୂଳ ମଧ୍ୟରେ ସଂଘର୍ଷ ହେଉଥିଲା। ତେବେ ଏବେ ଭାଜପା ସହିତ ମୁହାଁମୁହିଁ ହୋଇଛି ତୃଣମୂଳ। ୬୦ ଦଶକରେ ପଶ୍ଚିମବଙ୍ଗରେ କ୍ଷମତା ହାତେଇବା ଲାଗି କଂଗ୍ରେସ ଏବଂ ବାମଦଳ ଯୋଗୁ ଅନେକ ରାଜନୈତିକ ହତ୍ୟାକାଣ୍ଡ ଘଟିଥିଲା। ୧୯୭୭ରେ କଂଗ୍ରେସର ପତିଆରା ଏଠାରେ ଶେଷ ହେବା ସହିତ ଶାସନ ଜ୍ୟୋତିବସୁଙ୍କ ହାତକୁ ଯାଇଥିଲା। ଏହା ପରେ ଶାସନ ଭା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ହାତରେ ପହଞ୍ଚିଥିଲା। ୧୯୭୭ଠାରୁ ୨୦୦୭ ପର୍ଯ୍ୟନ୍ତ ୩୪ ବର୍ଷ ଏଠାରେ ବାମଦଳ ଶାସନ କରିଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୨୮ ହଜାର ରାଜନୈତିକ ହତ୍ୟା ହୋଇଥିଲା। ପରେ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ଏଠାରେ ବାମଦଳ ପାଇଁ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଥିଲା। ପରେ ୨୦୧୧ରେ ମମତା ପଶ୍ଚିମବଙ୍ଗରୁ ବାମଦଳ ଶାସନ ଶେଷ କରିଥିଲେ। ୨୦୦୮ରେ ଏଠାରେ ୯ଟି ରାଜନୈତିକ ହତ୍ୟା ହୋଇଥିବାବେଳେ ୨୦୦୯ରେ ୫୦, ୨୦୧୦ରେ ୩୮, ୨୦୧୧ରେ ୩୮, ୨୦୧୨ରେ ୨୨, ୨୦୧୩ରେ ୨୬ଟି ରାଜନୈତିକ ହତ୍ୟା ହୋଇଥିଲା। ସେହିପରି ୨୦୧୪ରେ ୧୦, ୨୦୧୫ରେ ଗୋଟିଏ ଏବଂ ୨୦୧୬ରେ ମଧ୍ୟ ଗୋଟିଏ ରାଜନୈତିକ ହତ୍ୟା ହୋଇଥିଲା। ରାଜ୍ୟରେ ରାଜନୈତିକ ପୃଷ୍ଠଭୂମିରେ ପରିବର୍ତ୍ତନ ହୋଇଛି। ମାତ୍ର ଏଠାରେ ରାଜନୈତିକ ହତ୍ୟାର ଖେଳରେ କୌଣସି ପରିବର୍ତ୍ତନ ଆସିନାହିଁ। ୨୦୧୯ ଲୋକ ସଭା ନିର୍ବାଚନରେ ଏଠାରେ ପୁଣି କ୍ଷମତା ପାଇଁ ହତ୍ୟା ଜାରି ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share