ପଶମ ଶିଳ୍ପରେ ନିଷ୍ଠୁରତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଅନେକ ଲୋକ ଭାବନ୍ତି, ହସଖୁସିରେ ଘାସ ଚରୁଥିବା ମେଣ୍ଢାମାନଙ୍କୁ ନେଇ ପଶମ (ଉଲ୍‌) ଶିଳ୍ପ ଗଠିତ। ଏହି ଶିଳ୍ପରେ କୌଣସି ପ୍ରାଣୀଙ୍କୁ ନିର୍ଯାତନା ଦିଆଯାଏ ନାହିଁ କିମ୍ବା ହତ୍ୟା କରାଯାଏ ନାହିଁ। ମେଣ୍ଢାମାନେ ଚୁପ୍‌ଚାପ୍‌ ଧାଡ଼ିରେ ଠିଆ ହୁଅନ୍ତି ଏବଂ ବୈଦ୍ୟୁତିକ କଇଁଚି ସେମାନଙ୍କ ବାଳକୁ କାଟିଦିଏ। କିନ୍ତୁ ଏହା ସତ ନୁହେଁ। ଆପଣ ଉଲ୍‌ କିଣିବା ପୂର୍ବରୁ ୨୦୧୭ରେ ପ୍ରକାଶିତ ପେଟାର ଭିଡିଓ ଦେଖନ୍ତୁ- ଅଷ୍ଟ୍ରେଲିଆର ଉଲ୍‌ ଫାର୍ମଗୁଡ଼ିକରେ ମେଣ୍ଢାଙ୍କ ବାଳ କେମିତି କଟାଯାଉଛି। ନିର୍ଦ୍ଦୟଭାବରେ ଲୋମ କାଟିଲାବେଳେ ମେଣ୍ଢାମାନଙ୍କ ଦେହ କଟି ରକ୍ତ ଝରୁଥାଏ। ବିନା ଆନାସ୍ଥେସିଆରେ କର୍ମଚାରୀମାନେ ସେମାନଙ୍କ କଟା ଅଂଶଗୁଡ଼ିକୁ ସିଲେଇ କରନ୍ତି। ଏହା ନିଷ୍ଠୁରତାର ଚରମ ପ୍ରଦର୍ଶନ। ଏହାର ତିନିବର୍ଷ ତଳେ ୨୦୧୪ରେ ପେଟା ଉଲ୍‌ ରପ୍ତାନିକାରୀ ଫାର୍ମଗୁଡ଼ିକରେ ହେଉଥିବା ଅନୁରୂପ ନିଷ୍ଠୁରତାକୁ ଲୋକଲୋଚନକୁ ଆଣିଥିଲା। ସେତେବେଳେ ଫାର୍ମଗୁଡ଼ିକର ଅନେକ ମାଲିକ ଓ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ଏବଂ ଜୀବେ ନିଷ୍ଠୁରତା ଆଇନ ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡାଦେଶ ଦିଆଯାଇଥିଲା। ସେତେବେଳେ ଏହି ଶିଳ୍ପ ନିଷ୍ଠୁରତା ହ୍ରାସ କରିବା ଲାଗି ସଂକଳ୍ପ ନେଇଥିଲା। କିନ୍ତୁ ଏହାର କିଛି ସପ୍ତାହ ପରେ ପୂର୍ବପରି ନିଷ୍ଠୁରତା ପ୍ରଦର୍ଶନ କରାଗଲା ଏବଂ ବ୍ୟବସାୟ ଆଗରୁ ଯେମିତି ଚାଲିଥିଲା ସେମିତି ଚାଲିଲା।
ଲୋମକଟାଳିମାନେ ହେଉଛନ୍ତି ମାନବ ବିବର୍ତ୍ତନର ସବୁଠାରୁ ତଳେ ଥିବା ମଣିଷ- ନିରକ୍ଷର, ଅଧୀର, ଅସମ୍ବେଦନଶୀଳ ଫାର୍ମ ଶ୍ରମିକ, ଯେଉଁମାନଙ୍କୁ ମେଣ୍ଢା ପିଛା ପାରିଶ୍ରମିକ ଦିଆଯାଇଥାଏ। ସେମାନେ ଭୟଭୀତ ମେଣ୍ଢା କେତେ କଷ୍ଟ ପାଇଲେ ବା ଆହତ ହେଲେ ସେଥି ପ୍ରତି ଦୃଷ୍ଟି ନ ଦେଇ ଅଳ୍ପ ସମୟ ଭିତରେ କିପରି ଅଧିକ ମେଣ୍ଢାଙ୍କ ଲୋମ କାଟି ଅଧିକ ମଜୁରି ପାଇବେ ତାହାରି ଉପରେ ଧ୍ୟାନ ଦେଇଥାନ୍ତି। ତେବେ ଅଷ୍ଟ୍ରେଲିଆ ଏକମାତ୍ର ଦେଶ ନୁହେଁ, ଯେଉଁଠି ମେଣ୍ଢାମାନଙ୍କ ପ୍ରତି ଏପରି ଅତ୍ୟାଚାର କରାଯାଏ। ଅନୁରୂପ ଘଟଣା ଆର୍ଜେଣ୍ଟିନା, ଚିଲି ଓ ଆମେରିକାରେ ମଧ୍ୟ ଘଟୁଥିବା ଜଣାପଡ଼ିଛି।
ଯଦି ଉଲ୍‌ ଫାର୍ମଗୁଡ଼ିକ ଏପରି ନିଷ୍ଠୁରତା ବନ୍ଦ ନ କରୁଛନ୍ତି, ତେବେ ଆମ ପରି ଉପଭୋକ୍ତାମାନଙ୍କର କିଛି କର୍ତ୍ତବ୍ୟ ଅଛି। ଆପଣ ଉଲ୍‌ ନ କିଣିବାକୁ ନିଷ୍ପତ୍ତି ନେଇପାରନ୍ତି। ଆପଣ ମେଣ୍ଢାମାନଙ୍କ ପ୍ରତି ହେଉଥିବା ନିର୍ଯାତନା ବନ୍ଦ କରିବା ଲାଗି ବିଶ୍ୱ ସାରା ଉଲ୍‌ ବିକ୍ରେତାମାନଙ୍କ ପାଖକୁ ଚିଠି ଲେଖନ୍ତୁ। ସୋସିଆଲ ମିଡ଼ିଆ ମାଧ୍ୟମରେ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରନ୍ତୁ।
କୋଡ଼ିଏ ବର୍ଷ ତଳେ ୟୁରୋପ ଆମେରିକାର ଗାଲିଚା (କାର୍ପେଟ୍‌) ଆମଦାନିକାରୀମାନେ ଭାରତ ଉପରେ ଚାପ ପକାଇଲେ। ଭାରତରେ ଗାଲିଚା ଶିଳ୍ପରେ ଛୋଟ ଛୋଟ ପିଲାମାନଙ୍କୁ କାମରେ ଲଗାଯାଉଥିବାରୁ ସେମାନେ ଭାରତରୁ ଗାଲିଚା କିଣିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଦେଲେ। ସେତେବେଳେ ମୁଁ ସରକାରରେ ନ ଥିଲି। ଆମେ ରଗ୍‌ମାର୍କ ନାମରେ ଏକ ଗୋଷ୍ଠୀ ଗଠନ କରି ବାରାଣସୀରୁ ଭାଦୋହି ପର୍ଯ୍ୟନ୍ତ ବିଭିନ୍ନ କାର୍ପେଟ୍‌ ଶିଳ୍ପକୁ ଯାଇ ସେଠାରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କଲୁ ଓ ଉକ୍ତ ଶିଳ୍ପକୁ ଶିଶୁ ଶ୍ରମିକମୁକ୍ତ କଲୁ। ବିହାରରୁ ଯେଉଁଠୁ ଶିଶୁମାନଙ୍କୁ ଅପହରଣ କରି ଗାଲିଚା ଶିଳ୍ପରେ କାମରେ ଲଗାଯାଇଥିଲା, ସେଠାକୁ ଯାଇ ଉକ୍ତ ପିଲାମାନଙ୍କୁ ତାଙ୍କ ମାଆବାପାମାନଙ୍କୁ ହସ୍ତାନ୍ତର କଲୁ ଏବଂ ଅନ୍ୟ ପିଲାମାନଙ୍କୁ ଅନାଥାଶ୍ରମରେ ଛାଡ଼ିଲୁ ଓ ସ୍କୁଲରେ ସେମାନଙ୍କ ନାମ ଲେଖାଇଲୁ। ଏହାପରେ ଗାଲିଚା ଶିଳ୍ପରେ ଶିଶୁ ଶ୍ରମିକ ନିଯୁକ୍ତି ଲୋପ ପାଇଲା ଏବଂ ସେମାନେ ଏକ ଶପଥପତ୍ରରେ ସ୍ବାକ୍ଷର କଲେ ଯେ ସେମାନେ ଆଉ କେବେ ଶିଶୁ ଶ୍ରମିକମାନଙ୍କୁ ବ୍ୟବହାର କରିବେ ନାହିଁ। ଆମର ଏହି ପଦକ୍ଷେପ ପୂରା କାମ ଦେଇଛି। ସେମାନେ ଆମଠାରୁ ରଗ୍‌ମାର୍କ ଲେଖାଥିବା ଲେବଲ କିଣି ନିଜ ଗାଲିଚାରେ ମାରିଲେ, ଯାହାର ଅର୍ଥ ହେଉଛି ଶିଶୁ ଶ୍ରମିକମୁକ୍ତ। ଜର୍ମାନୀ ଏହାକୁ ଗ୍ରହଣ କଲା। ଏହାପରେ ପାକିସ୍ତାନ ଓ ନେପାଳ ମଧ୍ୟ ଉକ୍ତ ଲେବଲଯୁକ୍ତ କାର୍ପେଟ କିଣିବାକୁ ନିଷ୍ପତ୍ତି ନେଲେ। ଆମଦାନିକାରୀମାନେ ଲେବଲ ପିଛା ୧ ଟଙ୍କା ଦେଲେ ଯାହାକୁ ପିଲାମାନଙ୍କ ଥଇଥାନ ଓ ଶିକ୍ଷା ଉଦ୍ଦେଶ୍ୟରେ ଖର୍ଚ୍ଚ କରାଗଲା। ରଗ୍‌ମାର୍କ ଏକ ସାମାଜିକ ଓ ନୈତିକ ସମସ୍ୟାର ସମାଧାନରେ ସାହାଯ୍ୟ କଲା।
ଆମେ ଚାହୁଁଛୁ ଅନୁରୂପ ଏକ ଲେବଲ ମାଧ୍ୟମରେ ମେଣ୍ଢାମାନଙ୍କ ପ୍ରତି ହେଉଥିବା ନିଷ୍ଠୁରତାଜନିତ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ହେଉଛି ସବୁଠାରୁ ବଡ଼ ଉଲ୍‌ ରପ୍ତାନିକାରୀ ଦେଶ। ଅଷ୍ଟ୍ରେଲିଆ ଏକାକୀ ବିଶ୍ୱର ମୋଟ ଉଲ୍‌ର ଏକପଞ୍ଚମାଂଶ ଉତ୍ପାଦନ କରେ। ଭାରତ ଅଷ୍ଟ୍ରେଲିଆରୁ ସବୁଠାରୁ ଅଧିକ ଉଲ୍‌ ଆମଦାନି କରୁଥିବା ଦେଶ। ୬୦% ଚାଇନା ଆମଦାନି କରେ। କିନ୍ତୁ ଜୀବେ ନିଷ୍ଠୁରତା ପ୍ରତି ଚାଇନାର କିଛି ଖାତିର ନାହିଁ। ସେମାନେ ସବୁଠାରୁ ଖରାପ ଉଲ୍‌ କିଣନ୍ତି। ଇଟାଲି ୨୦ ପ୍ରତିଶତ ଆମଦାନି କରିଥାଏ। ସେମାନେ ଉଚ୍ଚ ଫେଶନ ଡିଜାଇନର ଉଲ୍‌ କିଣନ୍ତି। ଆମେ ୧୫ରୁ ୧୮% ଉଲ୍‌ ପ୍ରତିବର୍ଷ ଆମଦାନି କରିଥାଉ। ୨୦୧୮ ମସିହାରେ ଅଷ୍ଟ୍ରେଲିଆ ଭାରତକୁ ୧୫୨ ନିୟୁତ ଡଲାର ମୂଲ୍ୟର (୪୧.୪୭ ନିୟୁତ କିଲୋଗ୍ରାମ୍‌) ଉଲ୍‌ ରପ୍ତାନି କରିଛି। ଆମେ ଉଲ୍‌ କିଣି ସେଥିରେ ବିଭିନ୍ନ ଜିନିଷ ତିଆରି କରି ଦକ୍ଷିଣ କୋରିଆ, ସଂଯୁକ୍ତ ଆରବ ଏମିରେଟ୍‌ସ ଓ ଜାପାନ, ୟୁରୋପ, ଆମେରିକା ପ୍ରଭୃତି ଦେଶକୁ ରପ୍ତାନି କରୁ। ପ୍ରତିବର୍ଷ ଆମ ଉଲ୍‌ ତିଆରି ଜିନିଷର ଚାହିଦା ବଢ଼ୁଛି। ପ୍ରମୁଖ ଉଲ୍‌ କମ୍ପାନୀଗୁଡ଼ିକ ଲୁଧିଆନାରେ ଅଛନ୍ତି। ତେଣୁ ଆମେ ମେଣ୍ଢାମାନଙ୍କ ପ୍ରତି ହେଉଥିବା ନିଷ୍ଠୁରତା ବିରୋଧରେ ଯଥେଷ୍ଟ ପ୍ରଭାବ ପକାଇପାରିବା।
ଭାରତୀୟ ଉଲ୍‌ ଶିଳ୍ପଗୁଡ଼ିକ ‘ଏଥିକାଲ୍‌ ଉଲ୍‌’ ନାମରେ ଏକ ଲେବଲର ବିକାଶ କରିବାର ଆବଶ୍ୟକତା ରହିଛି। ପାଟାଗୋନିଆ ପରି କମ୍ପାନୀ ସାଧାରଣ ବଜାରରୁ ଉଲ୍‌ କିଣିବା ବନ୍ଦ କରିଦେଇଛନ୍ତି ଏବଂ ସେମାନେ ନୈତିକତାର ଅଭ୍ୟାସ ରଖୁଥିବା ଫାର୍ମଗୁଡ଼ିକରୁ ଉଲ୍‌ କିଣୁଛନ୍ତି। ଆମ କମ୍ପାନୀଗୁଡ଼ିକ ତାହାର ଅନୁସରଣ କରିବା ଦରକାର।
ମେଣ୍ଢାଙ୍କ ପ୍ରତି ଆହୁରି ଅନେକ ଭୟଙ୍କର ବ୍ୟବହାର କରାଯାଏ। ଉଦାହରଣସ୍ବରୂପ ଶାର୍ଲିଆ ମେଣ୍ଢାଙ୍କଠାରୁ ଏକ ବିଶେଷ ଧରଣର ଉଲ୍‌ ଉତାରିବା ପାଇଁ ତାଙ୍କର ଜେନିଟିକ୍‌ ମ୍ୟୁଟେଶନ (ଜିନୀୟ ପରିବର୍ତ୍ତନ) କରାଯାଏ। ଏହି ପ୍ରକ୍ରିୟାରେ ଅନେକ ମେଣ୍ଢା ଅନ୍ଧ ହୋଇଯାନ୍ତି ଓ ସେମାନେ ଚାଲି ବି ପାରନ୍ତି ନାହିଁ। ଅବହେଳା, ରୋଗ ଓ ଖରାପ ବ୍ୟବହାର ଯୋଗୁ ଅସଂଖ୍ୟ ମେଣ୍ଢା ପ୍ରତିବର୍ଷ ମରନ୍ତି। ସେମାନଙ୍କ ସ୍ବାସ୍ଥ୍ୟର ଦେଖାଶୁଣା କରିବା ପାଇଁ ପ୍ରାଣୀ ଚିକିତ୍ସକ ନିଯୁକ୍ତ ନ ଥାନ୍ତି। ଉଲ୍‌ ଶିଳ୍ପରେ ଏଥିକାଲ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇ ପାରିଲେ ଏ ସବୁ ନିଷ୍ଠୁରତା ବନ୍ଦ ହୋଇପାରିବ। ଯଦି ଭାରତୀୟ ଉଲ୍‌ ଶିଳ୍ପ ଅଷ୍ଟ୍ରେଲିଆର କୌଣସି ପ୍ରାଣୀ କଲ୍ୟାଣ ସଂସ୍ଥାର ସାହାଯ୍ୟ ନିଅନ୍ତି, ଯେଉଁମାନେ ସେ ଦେଶର ଉଲ୍‌ ଶିଳ୍ପଗୁଡ଼ିକୁ ଯାଞ୍ଚ କରି ସେମାନଙ୍କୁ ଏଥିକାଲ ଉଲ୍‌ ଲେବଲ ଦେବେ, ତା’ହେଲେ ଏ ସମସ୍ୟାର ସମାଧାନ ହୋଇପାରିବ। ଆମେ ରଗ୍‌ମାର୍କ ଲେବଲର ପ୍ରବର୍ତ୍ତନ କରି ଭାରତର କାର୍ପେଟ୍‌ ଶିଳ୍ପରୁ ଶିଶୁ ଶ୍ରମିକଙ୍କୁ ହଟେଇ ପାରିଲୁ। ସେହିପରି ଏ ଏଥିକାଲ୍‌ ଉଲ୍‌ ଲେବଲ ବ୍ୟବସ୍ଥା ଅଷ୍ଟ୍ରେଲିଆରୁ ମେଣ୍ଢାଙ୍କ ପ୍ରତି ହେଉଥିବା ନିଷ୍ଠୁରତାର ଅନ୍ତ ଘଟାଇପାରିବ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri