ପଲିଥିନ ବଣ୍ଟନରେ ଅନିୟମିତତା ଅଭିଯୋଗ: ତହସିଲଦାରଙ୍କୁ ନ ପାଇ ବିଡିଓଙ୍କୁ ଘେରିଲେ ଗ୍ରାମବାସୀ

କଣ୍ଟାପଡା,୧୫।୫(ଡି.ଏନ୍‌.ଏ.): ସାମୁଦ୍ରିକ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ କଣ୍ଟାପଡା ବ୍ଲକ ଅନ୍ତର୍ଗତ ପାଟସୁନ୍ଦରପୁର ପଞ୍ଚାୟତରେ ବାତ୍ୟା ବିପନ୍ନଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ହୋଇଥିବା ପାଟସୁନ୍ଦରପୁର ଗ୍ରାମବାସୀଙ୍କ ପକ୍ଷରୁ ବୁଧବାର କଣ୍ଟାପଡା ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଛି। ତେବେ ଅଭିଯୋଗ କରିବାକୁ ଆସିଥିବା ଗ୍ରାମବାସୀମାନେ ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କୁ ନ ପାଇ ସେଠାରେ ଉପସ୍ଥିତ କଣ୍ଟାପଡା ବିଡିଓଙ୍କୁ ଘେରାଉ କରିଥିଲେ।
ସୂଚନାଯୋଗ୍ୟ, ବାତ୍ୟା ପ୍ରଭାବିତ ପାଟସୁନ୍ଦରପୁର ଗ୍ରାମରେ ବହୁ ଗରିବଙ୍କ ଘର ଭାଙ୍ଗିଥିଲେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ପରିବର୍ତ୍ତେ କୋଠାଘର ଥିବା କେତେକ ଲୋକଙ୍କୁ ପଲିଥିନ ଦିଆଯାଉଛି। ଅଥଚ ପ୍ରକୃତ ଘର ଭାଙ୍ଗିଥିବା ପରିବାର ଏଥିରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଘରଭଙ୍ଗା ତଦନ୍ତରେ ଥିବା କର୍ମଚାରୀ ଦଳୀୟ ଭିତ୍ତିରେ ପ୍ରଭାବିତ ହୋଇ ଏପରି କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
ଅପରପକ୍ଷେ ତହସିଲଦାର ଅଫିସକୁ ଆସିଲେ ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ବିଡିଓ କେ. ଅଶୋକ କୁମାର କହିବା ପରେ ଗ୍ରାମବାସୀମାନେ ଫେରିଯାଇଥିଲେ।