ପର୍ଯ୍ୟଟନ କ୍ଷେତ୍ର ହୁକିଟୋଲା ଓ ବତିଘର ପ୍ରବେଶ କଟକଣା

ମହାକାଳପଡା,୧୮।୩ (ଡି.ଏନ.ଏ.): ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିଚାଲିଛି। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସରକାରଙ୍କ ପକ୍ଷରୁ ଜନଗହଳି ସ୍ଥାନ, ପର୍ଯ୍ୟଟନ କ୍ଷେତ୍ର, ମନ୍ଦିର ପରିସର, ମଲ୍‌, ସିନେମା ହଲ୍‌, ବିବାହ ଭୋଜି, ଯାତ୍ରା, ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କଟକଣା ଲାଗିଛି। ସେହି କ୍ରମରେ କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ବଙ୍ଗୋପସାଗର ତଟ କୂଳରେ ଐତିହାସିକ ବ୍ରିଟିଶ ନିର୍ମିତ ହୁକିଟୋଲା ଓ ବତିଘର (ଫଲ୍‌ସ ପଏଣ୍ଟ) ଆଦି ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟନ ପ୍ରବେଶ ପାଇଁ ବାରଣ କରାଯାଇଛି। ନିଜେ ସୁରକ୍ଷା ରହିବା ସହିତ ଅନ୍ୟମାନଙ୍କର ସ୍ବଚ୍ଛତା ଉପରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି ମହାକାଳପଡା ବ୍ଲକ ଅଞ୍ଚଳର ରାମନଗର ପଞ୍ଚାୟତ ସ୍ଥାନୀୟ ବାହାକୁଦ ମହାନଦୀ ଫେରିଘାଟ ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପାଞ୍ଚଳରେ ୫ ହଜାରରୁ ଅଧିକ ଶ୍ରମିକ (ମହିଳା ଓ ପୁରୁଷ) ଦୈନିକ ନଦୀ ପାର କାମ ଅନ୍ବେଷଣରେ ଯାତାୟାତ କରିଥାନ୍ତି। କରୋନା ଭୟ ଯୋଗୁ ଶ୍ରମିକମାନଙ୍କ ଚିନ୍ତା ବଢିଯାଇଥିବା କେତେକ ଶ୍ରମିକ ପ୍ରକାଶ କରିଛନ୍ତି। ଶ୍ରମିକମାନଙ୍କ ମଧ୍ୟରେ ଶାନ୍ତିଲତା ମଣ୍ଡଳ, ମିନାରାଣୀ ମଣ୍ଡଳ, ପୁଷ୍ପଲତା ଦାସ, ରୀତା ମଣ୍ଡଳ, ତପନ ମଣ୍ଡଳ, ଗୌରହରି ବର୍ମନ, ସମୀର ମଣ୍ଡଳ ପ୍ରମୁଖ ଭୟଭୀତ ଅବସ୍ଥାରେ ଅଛନ୍ତି। କାରଣ ପାରାଦୀପରେ ବିଦେଶୀ ଜାହାଜ ଲାଗିଥିବାରୁ କରୋନା ଭୟ ରହିଥିବା କହିଛନ୍ତି।
ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଥିବା ବିଡିଓ ଦେବାଶିଷ ରାଉତ ସୂଚନା ଦେଇଛନ୍ତି।