‘ପରୀକ୍ଷା ପେ ଚର୍ଚ୍ଚା’ରେ ଓଡ଼ିଶାରୁ ୨୮ ପିଲା

ଭୁବନେଶ୍ୱର,୧୯।୧(ବ୍ୟୁରୋ)-ନୂଆଦିଲ୍ଲୀଠାରେ ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୨୨୦୦ଜଣ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକ ଅଂଶଗ୍ରହଣ କରିବେ। ଏଥିପାଇଁ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୨୮ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ଇତିମଧ୍ୟରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଶ୍ନପତ୍ରକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବା ସହିତ ପରୀକ୍ଷାକୁ ନେଇ କିପରି ଚାପମୁକ୍ତ ହେବେ ସେ ନେଇ ସେ ଛାତ୍ରୀଛାତ୍ରଙ୍କ ସହିତ ସିଧାସଳଖ ଆଲୋଚନା କରିବେ। ସେପଟେ କାର୍ଯ୍ୟକ୍ରମର ବହୁଳ ପ୍ରଚାର ପାଇଁ ରାଜ୍ୟର ସବୁ ସ୍କୁଲ ନୋଟିସ୍‌ ବୋର୍ଡ ଓ ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ସୂଚନା ରଖିବାକୁ କୁହାଯାଇଛି। ଏ ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଶନିବାର ସମସ୍ତ ଜିଲା ଶିକ୍ଷାଧିକାରୀ ଓ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲେଖାଯାଇଛି।