ପରୀକ୍ଷା ଖାତା ବୋର୍ଡ ଅଫିସ୍‌ ନ ଯାଇପାରିବା ଘଟଣା: ତଦନ୍ତ କଲେ ଶିକ୍ଷା ବିଭାଗ ଟିମ୍‌

ଉଦଳା, ୮।୩ (ଡି.ଏନ.ଏ.) – ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ଥିଲା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଇଂରାଜୀ ପରୀକ୍ଷା । ୭୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। କିନ୍ତୁ ତ୍ରୁଟିବଶତଃ ୬୯ ଜଣ ଛାତ୍ରୀଙ୍କ ପରୀକ୍ଷା ଖାତା ବୋର୍ଡ ଅଫିସକୁ ପଠାଯାଇଥିଲା । କଲେଜରେ ରହିଯାଇଥିଲା ୨ଜଣ ଛାତ୍ରୀଙ୍କ ପରୀକ୍ଷା ଖାତା । ଏହା ଜଣାପଡିବା ପରେ ହୋଇଥିଲା ବିବାଦ । ଏଥିରେ ଛନ୍ଦି ହୋଇପଡିଥିଲେ ମହିଳା ମହାବିଦ୍ୟାଳୟର କର୍ତ୍ତୃପକ୍ଷ। ଏହି ଘଟଣାର ତଦନ୍ତ ଶନିବାର ଆରମ୍ଭ ହୋଇଛି । ଇନ୍ଦିରାଗାନ୍ଧୀ କଲେଜ ସମେତ ନୋଡାଲ ସେଣ୍ଟର ଉଦଳା କଲେଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଶିକ୍ଷା ବିଭାଗର ଏକ ଟିମ୍‌ ।
ମୟୂରଭଞ୍ଜ ଜୋନର ଡେପୁଟି ସେକ୍ରେଟେରୀ ଜୟଦେବ ପ୍ରାମାଣିକଙ୍କ ତତ୍ତ୍ୱାବଧାନରେ ଉକ୍ତ ଟିମ୍‌ ଘଟଣାର ତଦନ୍ତ କରି ଫେରିଛନ୍ତି। ଉଲେଖନୀୟ ଯେ ଶୁକ୍ରବାର ସନ୍ଧ୍ୟାରେ ୨ଟି ପରୀକ୍ଷା ଖାତା ରହିଯାଇଥିବା ଜଣାପଡିବା ପରେ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ଏହି ଖାତାକୁ ନେଇ ନୋଡାଲ ସେଣ୍ଟର ନିଆଯାଇଥିଲା। ତେବେ ଏକ ଏକ ପରିବା ବ୍ୟାଗରେ ଏହାକୁ ନିଆଯିବା ଘଯଣା ଚର୍ଚ୍ଚାକୁ ଆସିଥିଲା। ଶନିବାର ତଦନ୍ତ ଲାଗି ଆସିଥିବା ଟିମ୍‌ ଦୁଇ ଭାଗ ହୋଇ ଉଦଳା କଲେଜ ଏବଂ ଇନ୍ଦିରାଗାନ୍ଧୀ କଲେଜରେ ତଦନ୍ତ କରିଥିଲେ ା ଉଦଳା କଲେଜ ପ୍ରିନ୍ସିପାଲଙ୍କ ସହିତ ଡେପୁଟି ସେକ୍ରେଟେରୀ ମଧ୍ୟ ଆଲୋଚନା କରିଥିଲେ ା ସେହିପରି ଇନ୍ଦିରାଗାନ୍ଧୀ କଲେଜରେ ପରୀକ୍ଷା ଉତ୍ତର ଖାତା କେଉଁ ପରିସ୍ଥିତିରେ ରହିଲା ତାହାକୁ ନେଇ ତଦନ୍ତ କରାଯାଇଥିଲା। ଶୁକ୍ରବାର ପରୀକ୍ଷା ସରିବା ପରେ ଖାତା ଗୁଡିକୁ ସିଲ୍‌ କରାଯିବା ବେଳେ ସେଠାରେ କେହି ଉଚ୍ଚ କର୍ତ୍ତୃପକ୍ଷ ଉପସ୍ଥିତ ନ ଥିଲେ ା ଜଣେ ଅଧସ୍ତନ ଅଧିକାରୀ ସୁପରିଟେଣ୍ଡେଣ୍ଟ ଉକ୍ତ ଖାତାଗୁଡିକ ପ୍ୟାକେଟ୍‌ରେ ଭର୍ତ୍ତି କରି ସିଲ୍‌ କରିବା ସମୟରେ ୨ଟି ଖାତା ଭୁଲ କ୍ରମେ ଟେବୁଲ୍‌ ଉପରେ ରହିଯାଇଥିଲା ା ତଦନ୍ତ ବେଳେ ସିସିଟିଭିକୁ ଯାଞ୍ଚ କରାଯିବାରୁ ଏହା ଜଣାପଡିଲା ବୋଲି ତଦନ୍ତରେ ଆସିଥିବା ଡେପୁଟି ସେକ୍ରେଟେରୀ କହିଛନ୍ତି। ଘଟଣାର ତଦନ୍ତ ସରିବା ପରେ ରିପୋର୍ଟ ବୋର୍ଡ କାର୍ଯ୍ୟାଳୟକୁ ପଠାଯିବ ବୋଲି ସେ କହିଛନ୍ତି। ଏଭଳି ତ୍ରୁଟିରେ ଯାହାର ସଂପୃକ୍ତି ଥବବା ଜଣାପଡିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।