ପରୀକ୍ଷାର ପରୀକ୍ଷାନିରୀକ୍ଷା

ଅକ୍ଷୟ କୁମାର ମିଶ୍ର

ଆପଣମାନେ ସମସ୍ତେ ଜାଣନ୍ତି ମାଟ୍ରିକ୍‌ ପରୀକ୍ଷା ସରିଲା। ସାଢ଼େ ପାଞ୍ଚ ଲକ୍ଷରୁ ଅଧିକ ପିଲା ଏହି ପରୀକ୍ଷା ଦେଲେ । ବିଜ୍ଞାନ, ବାଣିଜ୍ୟ, କଳା ତଥା ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷା ପାଇଁ ଏଣିକି ପଥ ଉନ୍ମୁକ୍ତ ହୋଇଗଲା। ବୋଧହୁଏ ଏହି କଥାଟିକୁ ଜାଣି ଆମ ମାଧ୍ୟମିକ ଶିକ୍ଷା ପରିଷଦ ଯତ୍‌ପରୋନାସ୍ତି ଉଦ୍ୟମ କରିଥିଲା ପରୀକ୍ଷାଟିକୁ ସ୍ବଚ୍ଛ କରିବା ପାଇଁ। ପିଲାମାନେ କେମିତି ଚାପଶୂନ୍ୟ ହୋଇ ପରୀକ୍ଷା ଦେବେ, ପରୀକ୍ଷାରେ କୌଣସି ତ୍ରୁଟି ବିଚ୍ୟୁତି ହେବ ନାହିଁ, ପ୍ରଶ୍ନପତ୍ର ଯେମିତି ପ୍ରଘଟ ହେବ ନାହିଁ, କୌଣସି ପରୀକ୍ଷାର୍ଥୀ ଯେମିତି ଅସାଧୁ ଉପାୟ ଅବଲମ୍ବନ ନ କରନ୍ତି, ଶିକ୍ଷକମାନେ ଯେମିତି ଅନୁକମ୍ପା ପ୍ରଦର୍ଶନ ନ କରନ୍ତି ଏସବୁ ପାଇଁ ବୋର୍ଡ଼ ବେଶ୍‌ କିଛି ପଦକ୍ଷେପ ଗ୍ରହଣ କରିଥିଲା। ଏଥିପାଇଁ ହବ୍‌ ସେଣ୍ଟର ହୋଇଥିଲା। ଏହି ନୋଡାଲ୍‌ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ଯାଉଥିଲା। ଯେଉଁଦିନ ଯେଉଁ ବିଷୟ ଥିଲା, ସେହିଦିନ ସେହି ବିଷୟର ପ୍ରଶ୍ନ ପ୍ୟାକେଟ୍‌ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚୁଥିଲା। ପ୍ରଶ୍ନପତ୍ରଗୁଡ଼ିକ ଚାରୋଟି ଆବରଣ ମଧ୍ୟରେ ରଖାଯାଇଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶ। ପ୍ରଶ୍ନପତ୍ରର ଭାଇରାଲ ରୋକିବା ପାଇଁ ପ୍ରଥମ କରି ପରୀକ୍ଷା ଆରମ୍ଭ ହେବାର ଦେଢ଼ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ନିର୍ଦ୍ଦେଶ ହୋଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ରରେ ଜଣେ ଅବ୍‌ଜରଭରଙ୍କୁ ନିଯୁକ୍ତ କରାଯାଇଥିଲା। ତିନିସ୍ତରୀୟ ସ୍କ୍ବାଡ୍‌ ନିଯୁକ୍ତି ହୋଇଥିଲେ। ବହୁ ପରୀକ୍ଷା କେନ୍ଦ୍ରରେ ଅତ୍ୟାଧୁନିକ ଏ.ଆଇ. କ୍ୟାମେରା ମଧ୍ୟ ଲାଗିଥିଲା। ପରୀକ୍ଷାରେ କପି ରୋକିବା ପାଇଁ ଯଦି ଏ ସମସ୍ତ ପଦକ୍ଷେପ ବୋର୍ଡ଼ ଗ୍ରହଣ କରିଥାଏ, ତେବେ ଏହାକୁ ଯେକେହି ସଚେତନ ନାଗରିକ ନିଶ୍ଚୟ ସ୍ବାଗତ କରିବେ। ଏହାପରେ ଯେ କପି ହୋଇ ନାହିଁ କିମ୍ବା କପି ହେବ ନାହିଁ ଏକଥା କୁହାଯାଇ ପାରିବ ନାହିଁ। କିନ୍ତୁ ଯଦି କେଉଁଠି ସମୂହ କପି ହୋଇଥାଏ, ତେବେ ଏଥିପାଇଁ କାହାକୁ ଦାୟୀ କରିବା? କେବଳ ଏତିକି ନୁହେଁ, ଆହୁରି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଉଠିଲା। ଏତେ ନିରାପତ୍ତା ସତ୍ତ୍ୱେ ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ମୋବାଇଲ୍‌କୁ ଆସୁଥିଲା ବୋଲି ଅଭିଯୋଗ ହେଲା। ଏହାର ସତ୍ୟାସତ୍ୟ ସମ୍ପର୍କରେ ଆଦୌ ଅନୁଧ୍ୟାନ ନ କରି, କୌଣସି ତଦନ୍ତ ନ କରି ବୋର୍ଡ଼ କର୍ତ୍ତୃପକ୍ଷ ଏହି ଅଭିଯୋଗ ଏକ ଗୁଜବ ବୋଲି କହି ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଲେ।
ଏବର ଆଉ ଏକ ଘଟଣା ଏହି ଅଭିଯୋଗକୁ ଆହୁରି ଘନୀଭୂତ କରିବାରେ ଲାଗିଛି। ନବମ ଶ୍ରେଣୀର ପରୀକ୍ଷାକୁ ନେଇ ବୋର୍ଡ଼ର ଦୋମୁହଁା ନୀତି ସ୍ପଷ୍ଟ ହୋଇଛି। ପୂର୍ବରୁ ନବମ ଶ୍ରେଣୀର ଷାଣ୍ମାସିକ ହେଉ ବା ବାର୍ଷିକ ପରୀକ୍ଷା ନିମନ୍ତେ ଆବଶ୍ୟକ ପ୍ରଶ୍ନପତ୍ର ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନେ ପ୍ରସ୍ତୁତ କରୁଥିଲେ, ନହେଲେ ଶିକ୍ଷକ ସଂଘ ପ୍ରସ୍ତୁତ କରୁଥିବା ପ୍ରଶ୍ନପତ୍ର ମଗାଇ ସେଥିରେ ପରୀକ୍ଷା କରୁଥିଲେ। ସତୁରି ପ୍ରତିଶତରୁ ଅଧିକ ବିଦ୍ୟାଳୟ ରାଜ୍ୟରେ ଥିବା ସର୍ବପୁରାତନ ଶିକ୍ଷକ ସଂଗଠନ ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)’ରୁ ନେଉଥିଲେ। ସେମିତି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହେଉଥିବା ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ପ୍ରାଥମିକ ତଥା ନିମ୍ନ ପ୍ରାଥମିକ ଭଳି କିଛି ପ୍ରତିଷ୍ଠିତ ଶିକ୍ଷକ ସଂଘ ଯୋଗାଉଥିଲେ। ପରୀକ୍ଷା ଶୃଙ୍ଖଳିତ ଢଙ୍ଗରେ ହେଉଥିଲା। ପିଲାମାନଙ୍କର ମେଧାଶକ୍ତିକୁ କଳନା କରାଯାଇ ପାରୁଥିଲା। ପାଶ୍‌ ଫେଲ ବ୍ୟବସ୍ଥା ଥିଲା। ପରୀକ୍ଷାରେ ପାଶ୍‌ କରୁଥିବା ପିଲାଟି ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଉଥିଲା। ପରୀକ୍ଷାରେ ଯିଏ ଉତ୍ତମ ପ୍ରଦର୍ଶନ କରିପାରୁନଥିଲା, ସେ ସେହି ଶ୍ରେଣୀରେ ରହି ପୁନର୍ବାର ପଢ଼ୁଥିଲା। ସର୍ବଶିକ୍ଷା ଅଭିଯାନ ଆସିବା ପରେ ପ୍ରଥମେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବ୍ୟବସ୍ଥା ଉଠିଗଲା। କେହି ପିଲା ଫେଲ୍‌ ହେବେ ନାହିଁ ବୋଲି ନିର୍ଦ୍ଦେଶ ଆସିଲା। ଶ୍ରେଣୀଗତ ଦକ୍ଷତା ଥାଉ ବା ନ ଥାଉ ମିଶାଣ, ଫେଡ଼ାଣ, ଗୁଣନ, ହରଣ କରିପାରୁ ବା ନ ପାରୁ, ଲେଖିପଢ଼ି ଜାଣୁ ବା ନ ଜାଣୁ, ଏପରିକି ବିଦ୍ୟାଳୟକୁ ଆଦୌ ନ ଆସିଲେ ମଧ୍ୟ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ଥୟ। ତା’ପରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ଯୋଗାଇବା ଦାୟିତ୍ୱ ନେଇଗଲା ସର୍ବଶିକ୍ଷା ଅଭିଯାନ। ଏହି ପ୍ରଶ୍ନପତ୍ରଗୁଡ଼ିକର ଗୋପନୀୟତା ରହିଲା ନାହିଁ। ପରୀକ୍ଷା ହେବାର ବହୁ ପୂର୍ବରୁ ପ୍ରଶ୍ନପତ୍ର ସବୁଠି ମିଳିଲା। ଏହି ଦୁଇଟି କଥା ପରୀକ୍ଷାର ଗୁରୁତ୍ୱକୁ ସମୂଳେ ଧ୍ୱଂସ କରିଦେଲା।
ନବମ ଶ୍ରେଣୀରେ ଏହି ବ୍ୟବସ୍ଥାଟି ନଥିଲା। ଏବେ ନବମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଏକା ପିଞ୍ଜରାର ସାରୀ କରିଦେବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି। ପରୀକ୍ଷାରେ ସଂସ୍କାର ନାମରେ ମାଧ୍ୟମିକ ଶିକ୍ଷା ପରିଷଦ ଯେଉଁ ପରୀକ୍ଷାନିରୀକ୍ଷା ଚଳାଇଛି ତାହା ଥମିବାର ନଁା ଧରୁ ନାହିଁ । ସେହି ସଂସ୍କାର ନାମରେ ପ୍ରଥମେ ଗୋଟିଏ ବର୍ଷରେ ଚାରୋଟି ଫରମେଟିଭ୍‌ ଓ ଦୁଇଟି ସମେଟିଭ୍‌ ଆସେସ୍‌ମେଣ୍ଟ ପରୀକ୍ଷା କରିବାକୁ ବୋର୍ଡ଼ ନିଷ୍ପତ୍ତି ନେଲେ। ଯେତେବେଳେ କରୋନା ଆକ୍ରମଣରେ ସମଗ୍ର ମାନବ ଜାତି ଆତଙ୍କିତ ଏବଂ ଭୀତତ୍ରସ୍ତ, ସେତେବେଳେ ଏହି ଫରମେଟିଭ୍‌ ଆସେସ୍‌ମେଣ୍ଟ ପାଇଁ ଯେଉଁ ପ୍ରଶ୍ନପତ୍ରର ଆବଶ୍ୟକତା ଥିଲା ତାକୁ ବୋର୍ଡ଼ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଠିକ୍‌ ତା’ ପରବର୍ଷ ବୋର୍ଡ଼ ନିଷ୍ପତ୍ତି କଲା ଫରମେଟିଭ୍‌ ଆସେସ୍‌ମେଣ୍ଟ ପାଇଁ ଯେଉଁ ପ୍ରଶ୍ନ ଦରକାର, ତାହା ଶିକ୍ଷକମାନେ କରିବେ; କିନ୍ତୁ ଦୁଇଟି ସମେଟିଭ୍‌ ଆସେସ୍‌ମେଣ୍ଟର ପ୍ରଶ୍ନପତ୍ର ବୋର୍ଡ଼ ତରଫରୁ ଯୋଗାଇ ଦିଆଯିବ ଏବଂ ଉତ୍ତର ଖାତାର ମୂଲ୍ୟାୟନ ନିଜ ବିଦ୍ୟାଳୟର ଶିକ୍ଷକମାନେ ନ କରି ଅନ୍ୟ ବିଦ୍ୟାଳୟର ଶିକ୍ଷକଙ୍କୁ ଦାୟିତ୍ୱ ଦିଆଗଲା। ଏଥିସହିତ ଦଶମ ଶ୍ରେଣୀରେ ଦୁଇ ଦୁଇଥର ବୋର୍ଡ଼ ପରୀକ୍ଷା ଅନୁଷ୍ଠିତ ହେଲା। ଅର୍ଥାତ୍‌ ବର୍ଷରେ ଦୁଇଥର ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଦେବା ପାଇଁ ଅନ୍ୟ ବିଦ୍ୟାଳୟକୁ ଯିବାକୁ ପଡ଼ିଲା। ପୁଣି ତା’ ପରବର୍ଷ ଏ ନିୟମ ବଦଳିଗଲା। କୁହାଗଲା, ଆଉ ସମେଟିଭ ଆସେସ୍‌ମେଣ୍ଟ ନୁହେଁ, ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ନାମରେ ଦୁଇଟି ପରୀକ୍ଷା ହେବ। ଦଶମ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା ନିଜ ବିଦ୍ୟାଳୟରେ ହେବ, କିନ୍ତୁ ବୋର୍ଡ଼ ତରଫରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ। ପରୀକ୍ଷାଖାତାର ମୂଲ୍ୟାୟନ ନିଜ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ କରି ଛାତ୍ରୀଛାତ୍ରଙ୍କ ପ୍ରାପ୍ତ ନମ୍ବର ପ୍ରଧାନଶିକ୍ଷକ ବୋର୍ଡ଼କୁ ପ୍ରେରଣ କରିବେ, ବାର୍ଷିକ ପରୀକ୍ଷାର ପରିଚାଳନା, ମୂଲ୍ୟାୟନ ପୂର୍ବବତ୍‌ ବୋର୍ଡ଼ କରିବ। ନବମ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା ପାଇଁ ଆବଶ୍ୟକ ପ୍ରଶ୍ନପତ୍ର ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ହେବ, କିନ୍ତୁ ବାର୍ଷିକ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଯୋଗାଇ ଦିଆଯିବ। ଏହି ନିଷ୍ପତ୍ତି ପୁଣି ପରବର୍ତ୍ତୀ ବର୍ଷ ପରିବର୍ତ୍ତନ ହେଲା। ଦଶମ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା ପାଇଁ ଲୋଡ଼ା ପ୍ରଶ୍ନପତ୍ର ବୋର୍ଡ଼ ଦେବ ନାହିଁ ବୋଲି କହିଲା। ମାତ୍ର ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ବୋର୍ଡ଼ ତରଫରୁ ପୂର୍ବଭଳି ଦିଆଯିବ ବୋଲି କୁହାଗଲା।
ଦିଆଗଲା, କିନ୍ତୁ ବିଚିତ୍ର ପଦ୍ଧତିରେ। ପ୍ରଶ୍ନପତ୍ରର ପ୍ୟାକେଟ୍‌ ଦିଆନଯାଇ ପ୍ରଶ୍ନପତ୍ରର ଏକ ସଫ୍ଟ କପି ପ୍ରଧାନଶିକ୍ଷକଙ୍କ ମେଲ୍‌କୁ ପଠାଗଲା ଏବଂ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଗଲା, ପ୍ରତ୍ୟେକ ଦିନ ପରୀକ୍ଷା ହେବାକୁ ଥିବା ବିଷୟର ପ୍ରଶ୍ନ ଡାଉନଲୋଡ୍‌ କରି ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ। ରାଜା ଅନ୍ଧ ନିଆଁ ଅନ୍ଧ ଭଳି ବୋର୍ଡ଼ କର୍ତ୍ତୃପକ୍ଷ ଭାବିଲେ ନାହିଁ ଏହା କେତେଦୂର ଯଥାର୍ଥ। ଏଥିପାଇଁ ଯେଉଁ କମ୍ପ୍ୟୁଟର, ଜେରକ୍ସ ମେଶିନ୍‌, ନେଟ୍‌ୱର୍କ ଏବଂ ସର୍ବୋପରି ବିଦ୍ୟୁତ୍‌ ସମସ୍ତ ବିଦ୍ୟାଳୟରେ ଉପଲବ୍ଧ ଅଛି ନା ନାହିଁ। ଫଳରେ ଏହି ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଘରୋଇ କମ୍ପ୍ୟୁଟର ଲ୍ୟାବ୍‌ର ସାହାଯ୍ୟ ନେଲେ ଏବଂ ବାହାରେ କୌଣସି ଏକ ଦୋକାନକୁ ଯାଇ ଜେରକ୍ସ କଲେ। ଏଥିରେ ପିଲା ପିଛା ଶହେ ଟଙ୍କାରୁ ଅଧିକ ଖର୍ଚ୍ଚ ହେଲା। ପ୍ରଧାନଶିକ୍ଷକଙ୍କ ଉପରେ ଚଡ଼କ ପଡ଼ିଲା, ଏ ଅର୍ଥ ଦେବ କିଏ? ଏହି ବ୍ୟବସ୍ଥା ଫଳରେ ପ୍ରଶ୍ନପତ୍ରର ଗୋପନୀୟତା ସମ୍ପୂର୍ଣ୍ଣ ନଷ୍ଟ ହେଲା। ପରୀକ୍ଷା ହେବାର ପୂର୍ବଦିନ ସାମାଜିକ ଗଣମାଧ୍ୟମରେ, ଦୋକାନ ବଜାରରେ ପ୍ରଶ୍ନପତ୍ର ସହିତ ଉତ୍ତର ମଧ୍ୟ ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚତ୍ଗଲା। ଏହାପରେ ପରୀକ୍ଷା କେମିତି ହୋଇଥିବ, ଅଧ୍ୟୟନ ପ୍ରତି ଥିବା ଆଗ୍ରହ ଉପରେ କେତେ ଆଘାତ ଲାଗିଥିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ କେତେ ମାନସିକ ଯନ୍ତ୍ରଣା ଦେଇଥିବ ତାହା ହିଁ ବିଚାର୍ଯ୍ୟ। ପରୀକ୍ଷା ପ୍ରତି ଏତେ ଖାମଖିଆଲ ହେବା ଆଦୌ ଗ୍ରହଣୀୟ ନୁହେଁ । ବରଂ ମୂଲ୍ୟବୋଧବିହୀନ ପରୀକ୍ଷା ଆଦୌ ନ ହେବା ଉଚିତ।
ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପରୀକ୍ଷାକୁ କପି କରିବାର ପ୍ରଶିକ୍ଷଣ କେନ୍ଦ୍ରରେ ପରିଣତ କରିସାରିବା ପରେ ଦଶମ ଶ୍ରେଣୀର ମାଟ୍ରିକ୍‌ ପରୀକ୍ଷାରେ କପି ରୋକିବାକୁ ପଦକ୍ଷେପ ନେବା ବିଷବୃକ୍ଷରେ ଅମୃତ ଫଳ ଫଳେଇବାକୁ ଚେଷ୍ଟା। କୌଣସି ନୂତନ ନୀତି ଆପଣେଇବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ତର୍ଜମା ନହେଲେ, ସମଦୃଷ୍ଟି ସହିତ ଦୂରଦୃଷ୍ଟି ନ ରହିଲେ, ସମ୍ପୃକ୍ତ ଲୋକମାନଙ୍କର ମତାମତ ପ୍ରତି ଗୁରୁତ୍ୱ ନଦେଲେ ଯାହା ହେବା କଥା ତାହା ହିଁ ହେଉଛି ।
ସର୍ବଶିକ୍ଷା ହେଉ କିମ୍ବା ମାଧ୍ୟମିକ ଶିକ୍ଷା ପରିଷଦ ହେଉ, ଯଦି ସେମାନେ ପ୍ରଶ୍ନପତ୍ର ଯୋଗାଇବାକୁ ଚାହୁଁଛନ୍ତି, ତେବେ କେମିତି ଏହା ପ୍ରଘଟ ନହେବ ସେ ଦିଗରେ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ।
ସଭାପତି, ଓଷ୍ଟା
ମୋ : ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri