ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ କାର୍ତ୍ତିୟାନି ଓ ଭାଗିରଥି ଆମ୍ମାଙ୍କୁ ମିଳିବ ‘ନାରୀ ଶକ୍ତି ପୁରସ୍କାର’

କୋଲ୍ଲମ,୫।୩: କେରଳର ୧୦୫ ବର୍ଷିୟା ଭାଗିରଥି ଆମ୍ମା ନିଜ ଜୀବନରେ ବହୁ ଉତ୍ଥାନ ପତନକୁ ସାମ୍ନା କରିଛନ୍ତି। ହେଲେ ପରିଣତ ବୟସରେ ସେ ଏମିତି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ୨୦୧୮ରେ ଭାଗିରଥି ଆମ୍ମା କେରଳ ରାଜ୍ୟ ସାକ୍ଷରତା ମିଶନ ଦ୍ୱାରା ଆୟୋଜିତ ପରୀକ୍ଷାରେ ଅଧିକ ବୟସ ପରୀକ୍ଷାର୍ଥି ଭାବେ ଟପ୍‌ରେ ରହିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତ କାର୍ଯ୍ୟକ୍ରମରେ ଭାଗିରଥି ଆମ୍ମାଙ୍କ ବିଷୟରେ ଅଲୋଚନା କରିଥିଲେ। ଭାଗରଥିଙ୍କ ଏହି କାମ ପାଇଁ ଏବେ ତାଙ୍କୁ ‘ନାରୀ ଶକ୍ତି ପୁରସ୍କାର ୨୦୧୯’ ପାଇଁ ମନୋନୀତ କରାଯାଇଛି। ସେହିପରି କେରଳର ୯୬ ବର୍ଷିୟା କାର୍ତ୍ତିୟାନି ଆମ୍ମା ମଧ୍ୟ କେରଳ ରାଜ୍ୟ ସାକ୍ଷରତା ମିଶନ ଦ୍ୱାରା ଆୟୋଜିତ ପରୀକ୍ଷାରେ ୧୦୦ରୁ ୯୮ ନମ୍ବର ରଖି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏଥର କାର୍ତ୍ତିୟାନି ଆମ୍ମାଙ୍କୁ ମଧ୍ୟ ‘ନାରୀ ଶକ୍ତି ପୁରସ୍କାର ୨୦୧୯’ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ଚଳିତ ମାସ ୮ ତାରିଖରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାଗିରଥି ଆମ୍ମା ଓ କାର୍ତ୍ତିୟାନି ଆମ୍ମାଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ‘ନାରୀ ଶକ୍ତି ପୁରସ୍କାର ୨୦୧୯’ ପ୍ରଦାନ କରିବେ ବୋଲି ଜଣାପଡିଛି।

Share